ମୋଦୀଙ୍କୁ ଚିଠି ଲେଖିଲେ ମନମୋହନ, କରୋନା ମୁକାବିଲା ପାଇଁ ବତାଇଲେ ୫ ଉପାୟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବା‌ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜ୍ୟସଭା ସଦସ୍ୟ ମନମୋହନ ସିଂହ ଏକ ଚିଠି ଲେଖିଛନ୍ତି। କରୋନାକୁ ମୁକାବିଲା କରିବା ପାଇଁ ମନମୋହନ ତାଙ୍କ ଦୁଇ ପୃଷ୍ଠା ବିଶିଷ୍ଟ ଚିଠିରେ ୫ଟି ପ୍ରସ୍ତାବ ସରକାରଙ୍କୁ ଦେଇଛନ୍ତି। କରୋନା ମହାମାରୀ ପରିଚାଳନାର ସବୁଠୁ ବଡ଼ ଦିଗ ହେଲା କରୋନା ଟିକାକରଣକୁ ବ୍ୟାପକ କରିବା ବୋଲି ମନମୋହନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ଆମେ କେତେ ସଂଖ୍ୟକ ଲୋକଙ୍କୁ ଟିକା ଦେଲୁ ତାହା ଉପରେ ସରକାର ଧ୍ୟାନ ନଦେଇ ଦେଶର ମୋଟ ଜନସଂଖ୍ୟାର କେତେ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇଛି ତାହାକୁ ଦେଖିବା ଆବଶ୍ୟକ। ଉପଯୁକ୍ତ ନୀତି ଦ୍ବାରା କରୋନା ମହାମାରୀକୁ ଭଲଭାବେ ଏବଂ ଶୀଘ୍ର ମୁକାବିଲା କରାଯାଇ ପାରିବ ବୋଲି ସେ କହିଛନ୍ତି।

ମନମୋହନଙ୍କ ପ୍ରଥମ ପ୍ରସ୍ତାବ ହେଲା ଟିକା ନିର୍ମାତାଙ୍କ ଠାରୁ ଆସନ୍ତା ୬ ମାସ ପର୍ଯ୍ୟନ୍ତ କେତେ ଟିକାର କ୍ରୟ ଆଦେଶ ଦିଆଯାଇଛି ଏବଂ ସେମାନେ କେତେ ଟିକା ଯୋଗାଇବାକୁ ପ୍ରସ୍ତୁତ ଅଛନ୍ତି ତାହାକୁ ସରକାର ସାର୍ବଜନୀନ କରନ୍ତୁ। ଯଦି ଏହି ସମୟ ମଧ୍ୟରେ ଆମେ ଏକ ନିର୍ଦ୍ଦି‌ଷ୍ଟ ସଂଖ୍ୟକ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଛି ତାହେଲେ ନିର୍ମାତାଙ୍କୁ ସେହି ଅନୁସାରେ ପର୍ଯ୍ୟାପ୍ତ ନିର୍ମାଣ ଆଦେଶ ଆଗୁଆ ଦିଆଯିବା ଆବଶ୍ୟକ। ଫଳରେ ନିର୍ମାତାମାନେ ଆବଶ୍ୟକ ଟିକା ସମୟ ଅନୁସାରେ ଯୋଗାଇବାକୁ ସକ୍ଷମ ହେବେ ବୋଲି ମନମୋହନ କହିଛନ୍ତି।
ମନମୋହନଙ୍କ ଦ୍ବିତୀୟ ପ୍ରସ୍ତାବଟି ହେଉଛି ଉପଲବ୍ଧ ହେବାକୁ ଥିବା ଟିକାକୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ମଧ୍ୟରେ କିଭଳି ସ୍ବଚ୍ଛତାର ସହ ବାଣ୍ଟିବେ ତାହା ସୂଚୀତ କରିବା ଆବଶ୍ୟକ। କେନ୍ଦ୍ର ସରକାର ଜରୁରୀକାଳୀନ ଆବଶ୍ୟକତା ପାଇଁ ୧୦ ପ୍ରତିଶତ ଟିକା ନିଜ ପାଖରେ ରଖିପାରିବେ। କିନ୍ତୁ ଅବଶିଷ୍ଟ ଟିକାକୁ ରାଜ୍ୟଗୁଡ଼ିକ ମଧ୍ୟରେ କିଭଳି ବଣ୍ଟାଯିବ ତାହାର ସ୍ପଷ୍ଟ ସୂଚନା ଦେବା ଆବଶ୍ୟକ। ଏହାହେଲେ ରାଜ୍ୟଗୁଡ଼ିକ ସେମାନଙ୍କ ଟିକାକରଣ କାର୍ଯ୍ୟକୁ ଆଗେଇ ନେଇପାରିବେ।

ମ‌ନମୋହନଙ୍କ ତୃତୀୟ ପ୍ରସ୍ତାବ ହେଲା ସମ୍ମୁଖ ଯୋଦ୍ଧାର ସଂଜ୍ଞା ନିର୍ଣ୍ଣୟ ପାଇଁ ରାଜ୍ୟ ସରକାରଙ୍କୁ କିଛିଟା ସ୍ବାଧୀନତା ଦିଆଯିବା ଆବଶ୍ୟକ। ଏହାହେଲେ ରାଜ୍ୟଗୁଡ଼ିକ ସେମାନଙ୍କ ଆବଶ୍ୟକତା ଅନୁଯାୟୀ କୋଭିଡ୍ ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ୪୫ ବର୍ଷରୁ କମ୍‌ ବୟସର ବ୍ୟକ୍ତିଙ୍କୁ ଟିକା ଦେଇପାରିବେ। ଚତୁର୍ଥ ପ୍ରସ୍ତାବଟି ହେଲା ଟିକା ନିର୍ମାତାଙ୍କୁ ପାଣ୍ଠି ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସହାୟତା ଯୋଗାଇ ଦେବା ଆବଶ୍ୟକ। ଟିକା ନିର୍ମାତାମାନେ ଯେଭଳି ଅଧିକ ସଂଖ୍ୟାରେ ଟିକା ପ୍ରସ୍ତୁତ କରିପାରିବେ ସେଥିପାଇଁ ଏହା କରାଯିବା ଆବଶ୍ୟକ। ଏଥିସହିତ ପୂର୍ବରୁ ଏଚଆଇଭି ବା ଏଡ୍‌ସ ରୋଗର ମୁକାବିଲା ପାଇଁ ଯେଭଳି ବାଧ୍ୟତାମୂଳକ ଲାଇସେନ୍ସିଂର ଉପଯୋଗ ହୋଇଥିଲା ବର୍ତ୍ତମାନ ତାହା କରିବା ଆବଶ୍ୟକ। ଏହାହେଲେ ଫାର୍ମା କମ୍ପାନି ଗୁଡ଼ିକ ଲାଇସେନ୍ସ ଜରିଆରେ ଟିକା ଉତ୍ପାଦନ କରିବାକୁ ସକ୍ଷମ ହେବେ। ଏହି ପରିପ୍ରେକ୍ଷୀରେ ମନମୋହନ ଇସ୍ରାଏଲ୍‌ର ଉଦାହରଣ ଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପଞ୍ଚମ ଏବଂ ଶେଷ ପ୍ରସ୍ତାବଟି ହେଲା ବିଶ୍ବରେ ଯେଉଁ ଟିକାକୁ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି ସରକାର ତାହାକୁ ଆମଦାନି ଲାଗି ଅନୁମତି ଦିଅନ୍ତୁ। ଦେଶରେ ସୀମିତ ସଂଖ୍ୟାରେ ଟିକା ନିର୍ମାଣ ହେଉଥିବାରୁ ୟୁରୋପିଆନ୍ ମେଡିକାଲ ଏଜେନ୍ସି କିମ୍ବା ୟୁଏସଏଫଡିଏ ଭଳି ବିଶ୍ବସନୀୟ ସଂସ୍ଥା ଦ୍ବାରା ବ୍ୟବହାର ପାଇଁ ଅନୁମତି ମିଳିଥିବା ଟିକାର ଆମଦାନି ପାଇଁ ମନମୋହନ କହିଛନ୍ତି। ସରକାର ତାଙ୍କ ପ୍ରସ୍ତାବକୁ ଗ୍ରହଣ କରି ଏହା ଉପରେ ତୁରନ୍ତ କାର୍ଯ୍ୟ କରିବେ ବୋଲି ମନମୋହନ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର