ସରକାରଙ୍କୁ ଘେରିଲେ ମନମୋହନ, ରହସ୍ୟ ଭିତରେ ରାଫେଲ୍‌ କାରବାର

ଇନ୍ଦୋର: ରାଫେଲ୍‌ ପ୍ରସଙ୍ଗ‌ରେ ଆଜି କଂଗ୍ରେସ ପୁଣି ମୋଦୀ ସରକାରଙ୍କୁ ଟାର୍ଗେଟ୍‌ କରିଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ କହିଛନ୍ତି, ର‌ାଫେଲ୍‌ କାରବାର ପଛରେ ନିଶ୍ଚିତ ଏକ ରହସ୍ୟ ଲୁଚି ରହିଛି। ଦେଶବାସୀ ଏହା ଜାଣିବାକୁ ଚାହୁଥିବା ବେଳେ ସରକାର କିନ୍ତୁ ଏହାକୁ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି। ଯୁଗ୍ମ ସଂସଦୀୟ କମିଟି ଦ୍ବାରା ଏହାର ଯାଞ୍ଚ ହେବା ପାଇଁ ହେଉଥିବା ଦାବିକୁ ସରକାର ବାରମ୍ବାର ଏଡ଼ାଇ ଦୁର୍ନୀତିକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ମଧ୍ୟ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଡ. ସିଂହ କହିଛନ୍ତି, ରାଫେଲ୍‌ ଚୁକ୍ତି ବାବଦରେ ଲୋକମାନଙ୍କ ମଧ୍ୟରେ ସନ୍ଦେହ ଉପୁଜିସାରିଛି। ସରକାର ଚାହିଲେ ବି ଏହାକୁ ଏଡ଼ାଇ ପାରିବେ ନାହିଁ। ଏ ନେଇ ଯୁଗ୍ମ ସଂସଦୀୟ କମିଟି ଦ୍ବାରା ତଦନ୍ତ ହେଉ ବୋଲି ବିଭିନ୍ନ ସଂଗଠନ ଦାବି କରୁଥିବା ବେଳେ ସରକାର ଆଦୌ ପ୍ରସ୍ତୁତ ନାହାନ୍ତି। ଏଥିରୁ ଜଣାପଡୁଛି ଯେ ରାଫେଲ୍‌ ଚୁକ୍ତି କାରବାରରେ ନିଶ୍ଚିତ କିଛି ରହସ୍ୟ ଲୁଚିରହିଛି। ଇନ୍ଦୋରରେ ସାମ୍ବାଦିକଙ୍କୁ ସୂଚନା ଦେଇ ଡ. ସିଂହ କହିଛନ୍ତି, ପ୍ରତିବର୍ଷ ଦେଶର ଯୁବଗୋଷ୍ଠୀଙ୍କୁ ୨ କୋଟି ନିଯୁକ୍ତି ଦେବେ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାହା କାଣିଚାଏ ପୂରଣ ହୋଇପାରି ନାହିଁ। ବିମୁଦ୍ରୀକରଣ ଓ ସିବିଆଇ ବିବାଦକୁ ଆଧାର କରି ମଧ୍ୟ ଡ. ସିଂହ ସରକାରଙ୍କୁ ସମାଲୋଚନା କରିଛନ୍ତି। ବିମୁଦ୍ରୀକରଣ ଏକ ମସ୍ତବଡ଼ ବିଫଳତା ହୋଇଥିବା ସତ୍ତ୍ବେ ସରକାର ଏହାକୁ ଗ୍ରହଣ କରୁନାହାନ୍ତି। ଏହାଦ୍ବାରା କୌଣସି କଳାଧନ ଅସୁଲ କରାଯାଇ ପାରିନାହିଁ ‌େବାଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର