ଅମୃତସର: ଲୋକସଭା ନିର୍ବାଚନ ପ୍ରଚାରର ଶେଷ ଦିବସରେ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କଂଗ୍ରେସ ଦଳକୁ ପ୍ରଶଂସା କରିବା ସହ ଭୋଟ୍ ଦେବାକୁ ପଞ୍ଜାବବାସୀଙ୍କୁ ନିବେଦନ କରିଛନ୍ତି। ଏହା ସହିତ ନିର୍ବାଚନ ପ୍ରଚାର ସମୟରେ ଘୃଣା ଭାଷଣ ଦେଇ ସାର୍ବଜନୀନ ଆଲୋଚନାର ସ୍ତର ଏବଂ ପ୍ରଧାନମନ୍ତ୍ରୀ ପଦର ମର୍ଯ୍ୟାଦା ହ୍ରାସ କରିଥିବା ଅଭିଯୋଗ କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମୋଦୀଙ୍କୁ ଟାର୍ଗେଟ କରି ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ଏହି ନିର୍ବାଚନ ପ୍ରଚାର ସମୟରେ ହୋଇଥିବା ରାଜନୈତିକ ଆଲୋଚନା ଉପରେ ତୀକ୍ଷ୍ଣ ନଜର ରଖିଛି। ମୋଦୀ ଲଗାତାର ଘୃଣା ଭାଷଣ ଦେଇଛନ୍ତି, ଯାହା ସମ୍ପୂର୍ଣ୍ଣ ବିଭାଜନକାରୀ। ‘ମୋଦୀଜୀ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ କି ସମାଲୋଚନାର ମର୍ଯ୍ୟାଦାକୁ ହ୍ରାସ କରିଛନ୍ତି ଏବଂ ଏଭଳି ପ୍ରଧାନମନ୍ତ୍ରୀ ମୁଁ ଆଜି ପର୍ଯ୍ୟନ୍ତ କେବେ ଦେଖିନାହିଁ’ ବୋଲି ମନମୋହନ କହିଛନ୍ତି।

Advertisment

ପଞ୍ଜାବ ଭୋଟରମାନଙ୍କୁ ନିବେଦନ କରି ମନମୋହନ କହିଛନ୍ତି ଯେ କେବଳ କଂଗ୍ରେସ ହିଁ ଦେଶର ବିକାଶ ଏବଂ ପ୍ରଗତିଶୀଳ ଭବିଷ୍ୟତ ସୁନିଶ୍ଚିତ କରିପାରିବ ଏବଂ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ହୋଇପାରିବ। ସେନା ପାଇଁ ଅଗ୍ନିବୀର ଯୋଜନା ଭୁଲ ଭାବେ ପ୍ରସ୍ତୁତ କରି ଲାଗୁ କରିଥିବାରୁ ମନମୋହନ ବିଜେପି ସରକାରକୁ ସମାଲୋଚନା କରିଛନ୍ତି। ପଞ୍ଜାବର ଭୋଟରଙ୍କୁ ଲେଖିଥିବା ଚିଠିରେ ସେ କହିଛନ୍ତି ଯେ ବିଜେପି ଭାବୁଛି ଦେଶଭକ୍ତି, ସାହସିକତା ଓ ସେବାର ମୂଲ୍ୟ ମାତ୍ର ୪ ବର୍ଷ। ଏହା ସେମାନଙ୍କ ନକଲି ଜାତୀୟତାବାଦକୁ ଦର୍ଶାଉଛି ବୋଲି ସେ କହିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ସମାଜର ଏକ ନିର୍ଦ୍ଦିଷ୍ଟ ବର୍ଗ କିମ୍ବା ବିରୋଧୀଙ୍କୁ ଟାର୍ଗେଟ କରିବା ପାଇଁ ପ୍ରଧାନମନ୍ତ୍ରୀ ଅସଂସଦୀୟ ଶବ୍ଦ ବ୍ୟବହାର କରିଛନ୍ତି ବୋଲି ମନମୋହନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ମୋ ନାଁରେ କିଛି ମିଥ୍ୟା ବୟାନ ଦେଇଛନ୍ତି। ମୁଁ ମୋ ଜୀବନରେ କେବେ ବି ଗୋଟିଏ ସମ୍ପ୍ରଦାୟକୁ ଅନ୍ୟ ସମ୍ପ୍ରଦାୟରୁ ଅଲଗା କରିନାହିଁ। ଏହା କେବଳ ବିଜେପିର ‘କପିରାଇଟ୍’। ସୂଚନାଯୋଗ୍ୟ, ‘ଦେଶର ସମ୍ବଳ ଉପରେ ମୁସଲମାନଙ୍କର ପ୍ରଥମ ଅଧିକାର ରହିଛି’ ବୋଲି ମନମୋହନ ତାଙ୍କର ଏକ ଭାଷଣରେ କହିଥିବା ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲା ଏବଂ ଏହାକୁ ବିଭିନ୍ନ ଉଦ୍‌ବୋଧନରେ କଂଗ୍ରେସକୁ ଟାର୍ଗେଟ୍‌ର ମାଧ୍ୟମ କରିଥିଲେ।