ଅକାଳି-କଂଗ୍ରେସର ଅଭିଯୋଗ: ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନଙ୍କୁ ନିଶାସକ୍ତ ଅବସ୍ଥାରେ ବିମାନରୁ ଓହ୍ଲାଇ ଦିଆଗଲା !

ଅକାଳି-କଂଗ୍ରେସ ଅଭିଯୋଗ ଉପରେ ଆପ୍‌ର ପ୍ରତିବାଦ

ଚଣ୍ଡିଗଡ଼ : ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ଭଗୱନ୍ତ ସିଂହ ମାନଙ୍କୁ ନେଇ ପୁଣି ବିବାଦ। ପ୍ରଚୁର ମାତ୍ରାରେ ମଦ ପିଇ ନିଶାସକ୍ତ ଥିବାରୁ ଜର୍ମାନୀର ଫ୍ରାଙ୍କଫର୍ଟ ବିମାନ ବନ୍ଦରରେ ତାଙ୍କୁ କୁଆଡ଼େ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ଏହି କାରଣରୁ ଭାରତକୁ ଆସୁଥିବା ଲୁଫଥାନ୍ସା ଏୟାରଲାଇନ୍ସର ଏହି ବିମାନ ଉଡ଼ାଣ ବିଳମ୍ବିତ ହୋଇଥିଲା। ମାନ୍ ଅନ୍ୟ ବିମାନରେ ଭାରତ ଫେରିଥିଲେ। ଅକାଳି ଦଳ ଏବଂ କଂଗ୍ରେସ ଏହି ଅଭିଯୋଗ ଆଣିଛନ୍ତି। ପଞ୍ଜାବ ସରକାର ପକ୍ଷରୁ ଏସଂପର୍କରେ କିଛି କୁହାଯାଇନଥିବା ବେଳେ ଆପ୍ ଏହାକୁ ଖଣ୍ଡନ କରିଛି। ଆପ୍ ପକ୍ଷରୁ କୁହାଯାଇଛି ଯେ ଆପ୍ ସରକାରକୁ ବଦନାମ କରିବା ଲାଗି ବିରୋଧୀ ଏଭଳି ଅପପ୍ରଚାର ଚଳାଇଛନ୍ତି। ସେହିପରି ଲୁଫଥାନ୍ସା ଏୟାରଲାଇନ୍ସ ପକ୍ଷରୁ ମଧ୍ୟ ଏହିଘଟଣାକୁ ଅସ୍ବୀକାର କରାଯାଇଛି।

ଅକାଳୀ ଦଳ ନେତା ସୁଖବୀର ସିଂହ ବାଦଲ ସୋମବାର ଦିନ ଏହି ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ ରବିବାର ମାନ୍‌ ଫ୍ରାଙ୍କଫର୍ଟରେ ଅପରାହ୍ଣ ୧ଟା ୪୦ରେ ବିମାନରେ ଆସିବାର ଥିଲା। କିନ୍ତୁ ସେହି ବିମାନ ୪ଟା ୩୦ରେ ଛାଡ଼ିଥିଲା। ମାନ୍‌ଙ୍କ ଲଗେଜ ବିମାନରୁ କାଢ଼ିବାକୁ ପଡ଼ିବାରୁ ଏଭଳି ବିଳମ୍ବ ହୋଇଥିଲା। ମାନ୍‌ଙ୍କୁ ବିମାନରୁ ନଓହ୍ଲାଇବା ପାଇଁ ପଞ୍ଜାବ ସରକାରଙ୍କ ଅଧିକାରୀମାନେ ଏୟାରଲାଇନ୍ସ ଉପରେ ଚାପ ପକାଇଥିଲେ ମଧ୍ୟ ତାହା କାମ ଦେଇ ନଥିଲା। ମାନ୍‌ ସୋମବାର ଦିନ ଅନ୍ୟ ଏକ ବିମାନରେ ଭାରତ ଫେରିଥିଲେ। ମାନ୍‌ ପଞ୍ଜାବୀମାନଙ୍କୁ ସାରା ବିଶ୍ବରେ ଲଜ୍ଜିତ କରିଛନ୍ତି। ମିଡିଆ ରିପୋର୍ଟକୁ ଉଦ୍ଧାର କରି ବାଦଲ ଏହି ଅଭିଯୋଗ ଆଣିଥିଲେ। ‌କଂଗ୍ରେସ ମଧ୍ୟ ଅନୁରୂପ ଅଭିଯୋଗ ଆଣି କହିଛି ଯେ ଅତ୍ୟଧିକ ମଦ୍ୟପାନ ଯୋଗୁ ମାନ୍ ଠିକ୍‌ରେ ଚାଲି ପାରୁ ନଥିଲେ। ତାଙ୍କ ପତ୍ନୀ ଓ ସୁରକ୍ଷା କର୍ମୀ ତାଙ୍କୁ ଧରିଥିଲେ ବୋଲି ଜଣେ ସହଯାତ୍ରୀ ସୂଚନା ଦେଇଥିବା କଂଗ୍ରେସ କହିଛି।

ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟି ଏହି ଖବରକୁ ଭିତ୍ତିହୀନ ବୋଲି କହିଛି। ଆପ୍‌ ମୁଖପାତ୍ର ମଲବିନ୍ଦର ସିଂହ କହିଛନ୍ତି ଯେ ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଜର୍ମାନୀରୁ ବିମାନରେ ଫେରିଛନ୍ତି। ବିରୋଧୀଦଳ ପକ୍ଷରୁ ହୋଇଥିବା ଅଭିଯୋଗ ଉଦ୍ଦେଶ୍ୟମୂଳକ ଏବଂ ମିଥ୍ୟା ପ୍ରଚାର। ମିଥ୍ୟା ଅଭିଯୋଗ କରିଥିବାରୁ ଅକାଳି ଓ କଂଗ୍ରେସ କ୍ଷମା ମାଗନ୍ତୁ ବୋଲି ଆପ୍‌ ସେ ଦାବି କରିଛନ୍ତି।

ଇତିମଧ୍ୟ‌ରେ ଲୁଫଥାନ୍ସା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ ଅନ୍ୟ ବିମାନ ପହଞ୍ଚିବାରେ ବିଳମ୍ବ ହେବା ଏବଂ ବିମାନ ପରିବର୍ତ୍ତନ ଯୋଗୁ ଫ୍ରାଙ୍କଫର୍ଟ ଦିଲ୍ଲୀ ବିମାନ ଉଡ଼ାଣ ବିଳମ୍ବିତ ହୋଇଥିଲା। ତଥ୍ୟ ସୁରକ୍ଷା କାରଣରୁ ଯାତ୍ରୀଙ୍କ ସଂପର୍କରେ ଅନ୍ୟ କୌଣସି ସୂଚନା ଦେଇହେବ ନାହିଁ ବୋଲି ଏୟାରଲାଇନ୍ସ କହିଛି।

ସମ୍ବନ୍ଧିତ ଖବର