ନୂଆଦିଲ୍ଲୀ: ଅଯୋଧ୍ୟା ରାୟ ପ୍ରକାଶ ପାଇବା ପରେ ଦେଶବାସୀ ଯେଉଁଭଳି ସଂଯମ ଆଚରଣ କରିଛନ୍ତି, ତାହା ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ର ୫୯ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ସ୍ବାର୍ଥ ଆଗରେ ଆଉ କିଛି ବି ଗୁରୁତ୍ବପୂର୍ଣ୍ଣ ନୁହେଁ। ଶାନ୍ତି, ଐକ୍ୟ ଓ ସଦ୍‌ଭାବନା ବଜାୟ ରଖିବା ହେଉଛି ଦେଶ ପାଇଁ ସବୁକିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆଜି ଏନ୍‌ସିସି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ଯୁବ ବନ୍ଧୁମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଦେଶଭକ୍ତି ଓ ସେବା ପାଇଁ ଯୁବ ବର୍ଗ ଆଗେଇ ଆସିବା ଉଚିତ। ପ୍ରଧାନମନ୍ତ୍ରୀ କହିଥିଲେ, ଏହା ତାଙ୍କର ସୌଭାଗ୍ୟ ଯେ, ସେ ବି ଜଣେ କ୍ୟାଡେଟ୍‌ ଥିଲେ। ଏନ୍‌ସିସିରେ କାର୍ଯ୍ୟ କରିବା ଯୋଗୁଁ ସେ ଶୃଙ୍ଖଳା ଓ ସେବା ଶିକ୍ଷା ପାଇଥିଲେ। ଏନ୍‌ସିସି ଦେଶର ସବୁଠାରୁ ବଡ଼ ଯୁବ ସଂଗଠନ। ଏହା ଏକ ତ୍ରିସେବା ସଂଗଠନ ଯାହା ସ୍ଥଳ, ଜଳ ଓ ବାୟୁ ସେନା ସହ ସମ୍ପୃକ୍ତ।

Advertisment

ପ୍ରଧାନମନ୍ତ୍ରୀ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଉପରେ ମଧ୍ୟ ଗୁରୁତ୍ବାରୋପ କରିଥିଲେ। ନିଜ ମାତୃଭାଷାକୁ ନେଇ ଗର୍ବ କରିବା ସହ ମାତୃଭାଷାର ସୁରକ୍ଷା ପାଇଁ କାମ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଜଣାଇଛନ୍ତି। ସେହିଭଳି ରାଜନୀତି କ୍ଷେତ୍ରକୁ ଆସିବାର ମୋହ ତାଙ୍କର ନଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେତେ ଲୋକ ଯାହା ଚାହାନ୍ତି ତାହା ହୋଇପାରେ ନାହିଁ। ସେହିଭଳି ଜଣେ ଚାହୁନଥିବା ଅଭିଳାଷ ହିଁ ପୂରଣ ହୋଇଥାଏ। ଯେମିତି ପ୍ରଧାନମନ୍ତ୍ରୀ ହେବେ ବୋଲି ସେ କେବେ ଚାହିଁ ନଥିଲେ। ପ୍ରଧାନମନ୍ତ୍ରୀ ପଠନ ଅଭ୍ୟାସ ଉପରେ ଗୁରୁତ୍ବାରୋପ କରିଛନ୍ତି। ‌ସେ ଟିଭି କିମ୍ବା ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି ନାହିଁ। ସେ ବହି ପଢ଼ିବାକୁ ଭଲ ପାଆନ୍ତି। ମାତ୍ର ‘ଗୁଗଲ’ ଯୋଗୁଁ ତାଙ୍କର ପଠନ ଅଭ୍ୟାସ ବାଧାପ୍ରାପ୍ତ ହୋଇଛି। ଆଜିକାଲି ସଂକ୍ଷେପରେ ସବୁକିଛି ପାଇଯିବାକୁ ଗୁଗଲକୁ ଅନୁସରଣ କରାଯାଉଛି। ଏହା ଫଳରେ ପ୍ରକୃତ ପଠନ ଅଭ୍ୟାସ ଓ ଅନିସନ୍ଧିତ୍ସୁ ଗୁଣ ବ୍ୟାହତ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶେଷରେ ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ତାଙ୍କର ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆସନ୍ତା ଜାନୁଆରି ମା‌ସରେ ଆୟୋଜନ କରା‌ଯିବ ‌ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।