‘ମନ କି ବାତ୍‌’: ନିର୍ବାଚନ କମିସନଙ୍କୁ ପ୍ରଶଂସା ସହ ଯୁବ ଭୋଟରଙ୍କୁ ଭୋଟ ଦେବାକୁ ନିବେଦନ କଲେ ମୋଦି

ଚନ୍ଦ୍ରରେ ଭାରତର ଚିହ୍ନ ରଖିବାକୁ ଖୁବ୍‌ ଶୀଘ୍ର ଚନ୍ଦ୍ରଯାନ-୨ ପ୍ରେରଣ କରାଯିବ

ନୂଆଦିଲ୍ଲୀ: ‘ମନ କି ବାତ୍‌’ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବା ସହିତ ନିର୍ବାଚନ କମିସନଙ୍କୁ ପ୍ରଶଂସା କରିଛନ୍ତି । ମନ କି ବାତ କାର୍ଯ୍ୟକ୍ରମର ୫୨ତମ ସଂସ୍କରଣରେ ମୋଦି କହିଛନ୍ତି, ନିର୍ବାଚନ କମିସନ ଯୋଗୁଁ ଦେଶର ଗଣତନ୍ତ୍ର ମଜବୁତ ହୋଇଛି। ଚଳିତ ବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବ । ଏଥିରେ ଯୁବ ଭୋଟର ଭୋଟ ଦେଇ ନାଗରିକତା ଜାହିର କରିବାକୁ ସେ ନିବେଦନ କରିଛନ୍ତି ।

ଏପଟେ ନିର୍ବାଚନ କମିସନଙ୍କ ପ୍ରଶଂସା କରି ମୋଦି କହିଛନ୍ତି, ଆମ ଦେଶରେ ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ । ଆମ ଗଣତନ୍ତ୍ର ଏକ ଅବିଚ୍ଛେଦ୍ୟ ଅଂଶ ଏବଂ ଆମ ସାରଧାରଣତନ୍ତ୍ର ଠାରୁ ପୁରାତନ। ଆମ ନିର୍ବାଚନ କମିସନ ଭାରତରେ ବିଶାଳ ନିର୍ବାଚନ କରାଉଥିବାରୁ ନାଗରିକମାନେ ତାକୁ ନେଇ ଗର୍ବ କରିବା ଉଚିତ। ଆମ ଗଣତନ୍ତ୍ରକୁ ମଜଭୁତ କରିବା ଲାଗି କମିସନ ନିରନ୍ତର ଉଦ୍ୟମ କରି ଆସିଛି।

ଦେଶ ପ୍ରତିରକ୍ଷା କ୍ଷେତ୍ରରେ ମଜବୁତ ହୋଇଛି । ୨୦୧୮ରେ ଦେଶ ଜଳ, ସ୍ଥଳ ଓ ଆକାଶରେ ପରମାଣୁ କ୍ଷମତା ସଂପନ୍ନ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଏହାବ୍ୟତୀତ ‘ମନ କି ବାତ’ରେ ସିଦ୍ଧଗଙ୍ଗା ମଠର ସନ୍ଥ ଶିବକୁମାର ସ୍ୱାମୀଙ୍କ ନିଧନ ଉପରେ ମଧ୍ୟ ଆଲୋଚନା କରିଥିଲେ।

କେବଳ ଏତିକି ନୁହେଁ, ମନ କି ବାତରେ ନେତାଜୀଙ୍କ କଥା ମନେ ପକାଇ ମୋଦି କହିଛନ୍ତି, ଭାରତ ମାଟିରେ ଅନେକ ବୀରପୁତ୍ର ଜନ୍ମ ନେଇଛନ୍ତି । ଦେଶ ପାଇଁ ଅନେକ ଅବିସ୍ମରଣୀୟ କାମ କରିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ହେଲେ ନେତାଜୀ । ଖେଳ ବିଷୟରେ ଆଲୋଚନା କରି ମୋଦି କହିଛନ୍ତି ଖେଳର ଆଧାରକୁ ମଜଭୁତ କରାଇବା ଜରୁରୀ । ଦେଶର ଯୁବା ସାରା ବିଶ୍ୱରେ ନିଜର କ୍ଷମତା ପ୍ରଦର୍ଶନ କରିପାରିବେ । ସେହିପରି ଚନ୍ଦ୍ରରେ ଭାରତର ଚିହ୍ନ ରଖିବାକୁ ଖୁବ୍‌ ଶୀଘ୍ର ଚନ୍ଦ୍ରଯାନ-୨ ପ୍ରେରଣ କରାଯିବ ବୋଲି କହିଛନ୍ତି ମୋଦି ।

ସମ୍ବନ୍ଧିତ ଖବର