ମନ୍‌ କୀ ବାତ୍‌ : ଆତ୍ମନିର୍ଭର ଭାରତ ପାଇଁ ଆହ୍ବାନ

ନୂଆଦିଲ୍ଲୀ: ‘ମନ୍‌ କୀ ବାତ୍’ର ୬୮ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତକୁ ଆତ୍ମନିର୍ଭରଶୀଳ ହେବା ଉପରେ ଗୁରୁତ୍ବାରୋପ କରିଛନ୍ତି। ଏ ପ୍ରକାର ସ୍ବପ୍ନକୁ ସାକାର କରିବା ଲାଗି ଦେଶରେ ଖେଳନା ନିର୍ମାଣକୁ ସେ ପ୍ରୋତ୍ସାହିତ କରିଛନ୍ତି। ବର୍ତ୍ତମାନ ବିଶ୍ବରେ ସମ୍ପ୍ରତି ଖେଳନା ଶିଳ୍ପର ଆକାର ସାତ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଥିବା ବେଳେ ତହିଁରେ ଭାରତର ଅବଦାନ ଖୁବ୍‌ କମ୍‌ ରହିଛି। ସୁତରାଂ ଏହି କ୍ଷେତ୍ରରେ ଭାରତର ଭୂମିକାକୁ ଉଲ୍ଲେଖନୀୟ ଭାବେ ବଢ଼ାଇବାକୁ ସେ ଭାରତୀୟ ଉଦ୍ୟୋଗୀମାନଙ୍କୁ ଆହ୍ବାନ କରିଛନ୍ତି। ମହାମାରୀ କୋଭିଡ୍‌-୧୯ ବେଳେ ଘର ଭିତରେ ବନ୍ଦୀସମ ଜୀବନ ବିତାଉଥିବା ପିଲାମାନଙ୍କ କଥା ସ୍ମରଣ କରି ସେ ସ୍ବଦେଶୀ ଖେଳନାଗୁଡ଼ିକର ନିର୍ମାଣ ବଢ଼ାଇବାକୁ ଶିଳ୍ପ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିବା କହିଛନ୍ତି। ସମ୍ପ୍ରତି ଆ‌ମ କଥାରେ କଥାରେ ‘ଆସ, ଖେଳିବା’ ମାଧ୍ୟମରେ ସ୍ବଦେଶୀ ଖେଳନାଗୁଡ଼ିକ ଉଚ୍ଚାରିତ ହେବାର ସମୟ ଆସିଛି।

ଏହାକୁ ଦୃଷ୍ଟିରେ ରଖି ନୂତନ ଜାତୀୟ ଶିକ୍ଷା ନୀତିରେ ପିଲାମାନଙ୍କର ସୃଜନଶୀଳତା ଓ ନବୀନତାର ଉନ୍ମେଷ ପାଇଁ ଖେଳ ଓ ଖେଳନା ଉପରେ ହିଁ ଗୁରୁତ୍ବ ଦିଆଯାଇଛି। ଏ ପରିପ୍ରେକ୍ଷୀରେ ଦେଶର ଯୁବ ଉତ୍ସାହୀ ଉଦ୍ୟୋଗୀମାନେ ନୂତନ ଶୈଳୀର କମ୍ପ୍ୟୁଟର ଖେଳର ବିକାଶ କରିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ଚଳିତ ମାସ ପ୍ରାରମ୍ଭରେ ଅନେକ ସ୍ବଦେଶୀ ଆପ୍‌ ପାଇଁ କଳ୍ପନାତୀତ ମର୍ଯ୍ୟାଦା ଆଣିପାରିଥିବା ଏକ ଅଭିନବ କମ୍ପ୍ୟୁଟର ପ୍ରୟୋଗର ସେ ଖୁବ୍‌ ତାରିଫ କରିଛନ୍ତି। ଆତ୍ମ ନିର୍ଭର ଭାରତ ଆପ୍‌ ଅଧୀନରେ ପିଲାମାନଙ୍କ ପାଇଁ କୁଟୁକି କିଡ୍‌ସ ଲର୍ଣ୍ଣିଂ ଆପ୍‌ ରହିଛି ଯେଉଁଥିରେ ସେମାନେ ଗୀତ ଓ ଗଳ୍ପ ମାଧ୍ୟମରେ ବିଜ୍ଞାନ ଓ ଗଣିତ ଶିକ୍ଷା ପାଇପାରିବେ। ସେହିପରି ଅନ୍ୟାନ୍ୟ ବିଷୟ ପାଇଁ ରହିଥିବା ଅନୁରୂପ ଆପ୍‌ ସମ୍ପର୍କରେ ମଧ୍ୟ ମୋଦୀ ସୂଚନା ଦେଇଛନ୍ତି। ଭାରତୀୟ ସେନାରେ ଉତ୍ତମ କାର୍ଯ୍ୟ କରିଥିବା ‘ସୋଫି’ ଓ ‘ୱିଦା’ ଶ୍ବାନ ସମ୍ପର୍କରେ ମୋଦୀ ସୂଚନା ଦେଇଛନ୍ତି। ଦେଶର ସୁରକ୍ଷା ପାଇଁ ସେମାନେ କର୍ତ୍ତବ୍ୟକୁ ଉତ୍ତମଭାବେ ନିର୍ବାହ କରିଥିବାରୁ ସେମାନଙ୍କୁ ନିକଟରେ ସ୍ବାଧୀନତା ଦିବସରେ ସମ୍ମାନିତ କରାଯାଇଛି। ଭାରତୀୟ ପ୍ରଜାତିର ଶ୍ବାନ ପାଳିବା ଉପରେ ମଧ୍ୟ ମୋଦୀ ଗୁରୁତ୍ବାରୋପ କରିଛନ୍ତି।

ସମ୍ବନ୍ଧିତ ଖବର