ନୂଆଦିଲ୍ଲୀ: ‘ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଅତି ବର୍ବର ଓ  କାପୁରୁଷୋଚିତ ଆକ୍ରମଣ ଦେଖି ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ଫୁଟୁଛି। ଏହି ସଙ୍କଟ ସମୟରେ ଦେଶ  ଏକଜୁଟ ରହିବାକୁ  ହେବ’ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଆଜି ନିବେଦନ କରିଛନ୍ତି। ମାସିକ ‘ମନ୍ କୀ ବାତ୍’ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି,  ପହଲଗାମ ଆକ୍ରମଣ ଆତଙ୍କବାଦର ସଂଚାଳକଙ୍କ ହତାଶା ଓ ଭୀରୁତାକୁ ଦର୍ଶାଉଛି। କାଶ୍ମୀରରେ ଶାନ୍ତି ଫେରିବାରେ ଲାଗିଛି। ସ୍କୁଲ ଓ କଲେଜରେ ଉତ୍ସାହ ଦେଖିବାକୁ ମିଳୁଛି, ବିକାଶ କାର୍ଯ୍ୟ  ଅଭୂତପୂର୍ବ ତ୍ୱରାନ୍ୱିତ ହେଉଛି, ଗଣତନ୍ତ୍ର ସୁଦୃଢ଼ ହେଉଛି, ପର୍ଯ୍ୟଟକଙ୍କ ସଂଖ୍ୟାରେ ରେକର୍ଡ ବୃଦ୍ଧି ହେଉଛି, ଆୟ ବୃଦ୍ଧି ପାଉଛି ଏବଂ ଯୁବବର୍ଗଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେଉଛି। କାଶ୍ମୀରରେ ଏଭଳି ବିକାଶ ଦେଖି ଦେଶର ଶତ୍ରୁମାନେ ଏହାକୁ ପସନ୍ଦ କରୁନାହାନ୍ତି। ସେମୋନେ ଅତି ଘୃଣ୍ୟ ରାସ୍ତା ଆପଣାଇ କାଶ୍ମୀରକୁ ଧ୍ବଂସ କରିବାକୁ ଚାହୁଛନ୍ତି। ତେବେ ପ୍ରତ୍ୟେକ ଆତଙ୍କୀ ଓ ସୋମନଙ୍କ ମାଲିକମାନଙ୍କୁ କଠୋର ଶାସ୍ତି ମିଳିବ ଏବଂ ଭାରତର କାର୍ଯ୍ୟାନୁଷ୍ଠାନରୁ କେହି ବର୍ତ୍ତିପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆଶ୍ବସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏପ୍ରିଲ ୨୨ ଆକ୍ରମଣ ପ୍ରତ୍ୟେକ ଭାରତୀୟଙ୍କୁ ଯନ୍ତ୍ରଣା ଦେଇଛି।

Advertisment

ଆତଙ୍କବାଦୀ ଆକ୍ରମଣର ଫଟୋ ଦେଖି ମୁଁ ଅନୁଭବ କରୁଛି ଯେ ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ଫୁଟୁଛି।  ଏଭଳି ସଙ୍କଟ ସମୟରେ ସମଗ୍ର ବିଶ୍ୱ ଭାରତ ସହିତ ଅଛି। ମୁଁ ଶୋକସନ୍ତପ୍ତ ପରିବାରକୁ ଆଶ୍ୱାସନା ଦେଉଛି ଯେ ସେମାନଙ୍କୁ ନ୍ୟାୟ ମିଳିବ। ଏହି ଆକ୍ରମଣ ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ କଠୋରତମ ଦଣ୍ଡ ମିଳିବ।  ଆତଙ୍କବାଦ ବିରୋଧରେ ଏହି ଯୁଦ୍ଧରେ ୧୪୦ କୋଟି ଭାରତୀୟଙ୍କ ଏକତା ହିଁ ସବୁଠାରୁ ବଡ଼ ଶକ୍ତି। ଏହି ଏକତା ହିଁ ଆତଙ୍କବାଦ ବିରୋଧରେ ଆମର ନିର୍ଣ୍ଣାୟକ ଯୁଦ୍ଧର ଆଧାର। ଏହି ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ଆମକୁ ଆମର ଆଦର୍ଶକୁ ସୁଦୃଢ଼ କରିବାକୁ ପଡ଼ିବ। ଆମକୁ ଏକ ରାଷ୍ଟ୍ର ଭାବରେ ଆମର ଇଚ୍ଛାଶକ୍ତି ଦେଖାଇବାକୁ ହେବ। ଦେଶ କିପରି ଏକ ସ୍ୱରରେ କହୁଛି ତାହା ଉପରେ ସାରା ବିଶ୍ୱର ନଜର ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

‘କ୍ରୋଧରେ ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ଫୁଟୁଛି’
ଭାରତର ଏକତା ଉପରେ ସାରା ବିଶ୍ବର ନଜର

ସୂଚନାଯୋଗ୍ୟ, ଏପ୍ରିଲ ୨୨ରେ ପହଲଗାମର ବୈସାରଣ ଘାଟିରେ ୨୬ ଜଣଙ୍କୁ  ଅତି ଅମାନୁଷିକ ଭାବେ ଗୁଳିକରି ହତ୍ୟା କରାଯାଇଥିଲା। କାଶ୍ମୀର ଉପତ୍ୟକାରେ ଏହା ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଥିଲା। ଏ ନେଇ ପ୍ରଧାନମନ୍ତ୍ରୀ  ପୂର୍ବରୁ ମଧ୍ୟ କହିଥିଲେ ଯେ ଭାରତ ପ୍ରତ୍ୟେକ ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକଙ୍କୁ ଚିହ୍ନଟ କରିବ, ଟ୍ରାକ୍ କରିବ ଏବଂ ଦଣ୍ଡିତ କରିବ।    ସମଗ୍ର ଦେଶ ଶୋକସନ୍ତପ୍ତ ପରିବାର ସହିତ ରହିଛି। ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସୁନିଶ୍ଚିତ କରିବା ପାଇଁ ସରକାର ଯଥାସମ୍ଭବ ପଦକ୍ଷେପ ନେଇଛନ୍ତି। କିଏ ପୁଅକୁ ହରାଇଛି ତ’ କିଏ ଭାଇକୁ ହରାଇଛି,  ଆଉ କିଏ ଜୀବନ ସାଥୀ ହରାଇଛି। କିଏ ବଙ୍ଗଳା କହୁଥିଲେ, କେହି କନ୍ନଡ କହୁଥିଲେ, କିଏ ମରାଠୀ, କିଏ ଓଡ଼ିଆ, କିଏ ଗୁଜରାଟୀ ତ’ ଆଉ କିଏ ବିହାରର ପୁଅ। କାର୍ଗିଲଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦୁଃଖ ଓ କ୍ରୋଧ ରହିଛି। ଏହି ଆକ୍ରମଣ କେବଳ ନିରୀହ ପର୍ଯ୍ୟଟକଙ୍କ ଉପରେ ନୁହେଁ, ଦେଶର ଶତ୍ରୁମାନେ ଭାରତର ଆତ୍ମା ଉପରେ ଆକ୍ରମଣ କରିବାର ସାହସ ଦେଖାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗତ ସପ୍ତାହରେ ବିହାରରେ ଏକ ରାଲିରେ କହିଥିଲେ। ଆଜିର ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ  ଇସ୍ରୋର ପୂର୍ବତନ ମୁଖ୍ୟ ତଥା ବିଶିଷ୍ଟ ବୈଜ୍ଞାନିକ କେ କସ୍ତୁରୀରଙ୍ଗନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶୁକ୍ରବାର ତାଙ୍କର ପରଲୋକ ଘଟିଛି। ସେ କହିଛନ୍ତି ଯେ କସ୍ତୁରୀରଙ୍ଗନ ସାରା ଜୀବନ ନିଃସ୍ୱାର୍ଥପର ଭାବରେ ଦେଶର ସେବା କରିଥିଲେ।