ମନ୍‌ କୀ ବାତ୍‌, ଲକ୍‌ଡାଉନ୍‌ ହିଁ ଏକମାତ୍ର ବିକଳ୍ପ

ଅସୁବିଧା ପାଇଁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ, କରୋନାରୁ ମୁକ୍ତ ହୋଇଥିବା ରୋଗୀଙ୍କ ସହ କଥା‌ ହେଲେ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ମହାମାରୀ ମୁକାବିଲା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ପ୍ରଥମ ଥର ପାଇଁ ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ ଉଦ୍‌ବୋଧନ ଦେଇଛନ୍ତି। କରୋନା ମୁକାବିଲା ପାଇଁ ଯେଉଁ ଲକ୍‌ଡ‌ାଉନ୍‌ ଜାରି ରହିଛି, ‌ସେଥିପାଇଁ ଲୋକମାନେ ନାନାଦି ଅସୁବିଧାର ସମ୍ମୂଖୀନ ହେଉଛନ୍ତି। ତେଣୁ ଦେଶବାସୀ ସାମ୍ନା କରୁଥିବା ଅସୁବିଧା ପାଇଁ ମୋଦୀ କ୍ଷମା ମାଗିଛନ୍ତି। ମୋଦୀ କହିଛନ୍ତି, ସେ ଭଲଭାବେ ଅବଗତ ହୋଇଛନ୍ତି ଯେ, ଅନେକ ଲୋକ ତାଙ୍କ ଉପରେ ଖୁବ୍‌ ରାଗିଛନ୍ତି ଏବଂ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ବି ଲୋକଙ୍କ ସମସ୍ୟା ବୁଝୁଛନ୍ତି। କିନ୍ତୁ ଏଭଳି ସ୍ଥିତିରେ ତାଙ୍କ ପାଖରେ ଅନ୍ୟ କିଛି ଉପାୟ ନଥିଲା। କରୋନାକୁ ହରାଇବା ଦିଗରେ ଲକ୍‌ଡାଉନ୍‌ ହିଁ ଏକମାତ୍ର ଏକମାତ୍ର ବିଳକ୍ପ। କରୋନା ସହ ଲଢ଼ିବାର ଅର୍ଥ ହେଉଛି ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଲଢ଼େଇ। ଆମକୁ ଏହି ଲଢ଼େଇରେ ବିଜୟୀ ହେବାକୁ ପଡ଼ିବ ବୋଲି ମୋଦୀ କହିଛନ୍ତି। ‌ଏଭଳି ଜଟିଳ ସ୍ଥିତିର ମୁକାବିଲା ପାଇଁ ପ୍ରତ୍ୟେକ ବ୍ୟକ୍ତି ସାହସିକତା ପ୍ରଦର୍ଶନ କରିବାକୁ ମୋଦୀ ଅନୁରୋଧ କରିଛନ୍ତି। ଏଥିପାଇଁ ଲୋକମାନଙ୍କୁ ଆହୁରି ଅଧିକ ଦିନ ଲକ୍ଷ୍ମଣ ରେଖା ମଧ୍ୟରେ ରହିବାକୁ ପଡ଼ିବ। କାରଣ କରୋନା ବିରୋଧରେ ଆରମ୍ଭ ହୋଇଥିବା ଲଢ଼େଇ ଖୁବ୍‌ ଜଟିଳ। ଏଥିପାଇଁ ଆହୁରି ଅଧିକ କଠୋର ନିଷ୍ପତ୍ତି ନେବାକୁ ପଡ଼ିବ। ଭାରତର ଲୋକମାନଙ୍କୁ ସୁରକ୍ଷିତ ରଖିବା ସବୁଠୁ ଗୁରୁତ୍ବପୂର୍ଣ୍ଣ। କରୋନାକୁ ହରାଇବାପାଇଁ ଏବେ ସମଗ୍ର ମାନବଜାତି ଏକଜୁଟ୍‌ ହେବାର ସମୟ ଆସିଯାଇଛି ବୋଲି ମୋଦୀ କହିଛନ୍ତି।

କରୋନା ସଂକ୍ରମଣ ରୋକିବା ପାଇଁ ଅହରହ କାର୍ଯ୍ୟ ଜାରି ରଖିଥିବା ଡାକ୍ତର, ନର୍ସ‌୍ ଏବଂ ସ୍ବାସ୍ଥ୍ୟକର୍ମୀମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଶଂସା କରିଛନ୍ତି। କରୋନା ମୁକାବିଲା ଦିଗରେ ସମ୍ମୁଖରେ ଥିବା ସମସ୍ତ ଯୋଦ୍ଧାମାନଙ୍କଠାରୁ ଏବଂ ବିଶେଷ କରି ଡାକ୍ତର ଏବଂ ନର୍ସମାନଙ୍କଠାରୁ ଆମକୁ ପ୍ରେରଣା ନେବାକୁ ପଡ଼ିବ ବୋଲି ମୋଦୀ କହିଛନ୍ତି। ମୋଦୀ ମଧ୍ୟ ଚେତାଇ ଦେଇ କହିଛନ୍ତି, ବିଶ୍ବବ୍ୟାପୀ ଯେଉଁମାନେ କ୍ବାରାଣ୍ଟିନ୍‌ ପଦକ୍ଷେପ ଗ୍ରହଣ କରିନଥିଲେ ସେମାନେ ଏବେ ପଶ୍ଚାତାପ କରୁଛନ୍ତି ଏବଂ ଆମେ ଏହି ଭୁଲ୍‌ର ପୁନରାବୃତ୍ତି ନ କରିବା ଉଚିତ୍‌ ବୋଲି ମୋଦୀ କହିଛନ୍ତି। ମନ୍‌ କୀ ବାତ୍‌ ଉଦ୍‌ବୋଧନ ଦେବା ସମୟରେ ମୋଦୀ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଜଣେ ବ୍ୟକ୍ତିଙ୍କ ସହ କଥା ହୋଇଥିଲେ। ମୋଦୀଙ୍କ ସହ କଥା ହେବାବେଳେସେ କହିଥିଲେ, କରୋନା ଆକ୍ରାନ୍ତ ଥିବା ଜାଣିବାପରେ ତାଙ୍କୁ ଖୁବ୍‌ ଭୟ ଲାଗିଥିଲା କିନ୍ତୁ ପରେ ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ଏବଂ ଅନ୍ୟ ହସ୍ପିଟାଲ୍‌ ଷ୍ଟାଫ୍‌ମାନେ ତାଙ୍କୁ ସାନ୍ତ୍ବନା ଦେଇଥିଲେ। କରୋନାରୁ ମୁକ୍ତ ହୋଇଥିବା ଉତ୍ତରପ୍ରଦେଶର ଅଶୋକ କପୁର ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ମଧ୍ୟ ମୋଦୀ କଥା ହୋଇଥିଲେ।

ସମ୍ବନ୍ଧିତ ଖବର