କରୋନା ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ କହୁଥିବା ବେଳେ ଅଳସ ଭାଙ୍ଗିଥିଲେ କେଜ୍ରିୱାଲ, ଅସଭ୍ୟ ବୋଲି କହିଲା ବିଜେପି
ନୂଆଦିଲ୍ଲୀ: ଆଜି କରୋନା ସ୍ଥିତିର ସମୀକ୍ଷା କରିବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ପ୍ରଧାନମନ୍ତ୍ରୀ କହୁଥିବା ବେଳେ ଆମ ଆଦମୀ ପାର୍ଟି(ଆପ୍) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଳସ ଭାଙ୍ଗିଥିବା ଦେଖାଯାଇଥିଲା। ପ୍ରଥମେ ସେ ମୁହଁରେ ହାତ ଦେଇଥିବା ବେଳେ ପରେ ହାତ ଉପରକୁ ଟେକି ପଛକୁ ନେଇଥିଲେ। ଏହା ପରେ ବସିଥିବା ଚେୟାରକୁ ଧରି ମୋଦୀଙ୍କ କଥା ଶୁଣିଥିଲେ। ତାଙ୍କର ଏଭଳି ବ୍ୟବହାରକୁ ନେଇ ଏବେ ଦିଲ୍ଲୀ ବିଜେପି ତାଙ୍କୁ ସମାଲୋଚନା କରିଛି।
ଭର୍ଚୁଆଲ ବୈଠକ ସମୟର ଭିଡିଓ ସେୟାର କରି ବିଜେପି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅସଭ୍ୟ ବୋଲି କହିଛି। ତେବେ ବିଜେପି ଏହି ଭିଡ଼ିଓ ଟ୍ବିଟ କରିବା ପରେ ଏବେ ଏହା ଭାଇରାଲ ହେଉଥିବା ଦେଖାଯାଇଛି। ପ୍ରଧାନମନ୍ତ୍ରୀ କହୁଥିବା ବେଳେ କେଜ୍ରିୱାଲଙ୍କ ଏଭଳି ବ୍ୟବହାରକୁ ଅନେକ ସମାଲୋଚନା କରିବା ଆରମ୍ଭ କରିଛନ୍ତି।
Mannerless CM of Delhi! pic.twitter.com/yswnLNI6Ty
— BJP Delhi (@BJP4Delhi) April 27, 2022
ତେବେ କରୋନା ସ୍ଥିତି ନେଇ ସମୀକ୍ଷା କରିବା ସହ ତୈଳ ଦର ବୃଦ୍ଧି ନେଇ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ । ଗତ କିଛି ଦିନ ହେବ ତୈଳ ଦର ବଢ଼ୁଥିବା ବେଳେ ବର୍ଦ୍ଧିତ ଦର ମଧ୍ୟବିତ୍ତଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏନେଇ ବିରୋଧୀ ଏବଂ ସାଧାରଣ ଲୋକ କେନ୍ଦ୍ରକୁ ଟାର୍ଗେଟ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।
ତୈଳ ମୂଲ୍ୟ ବୃଦ୍ଧି ପାଇଁ ରୁଷ-ୟୁକ୍ରେନ ଯୁଦ୍ଧକୁ ଦାୟୀ କରିବା ସହ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର-ରାଜ୍ୟ ମଧ୍ୟରେ ସମନ୍ୱୟ ରହିବା ଜରୁରୀ। ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ହ୍ରାସ କରିବା ଜରୁରୀ, ଯେପରି ନଭେମ୍ବର ମାସରେ କେନ୍ଦ୍ର ଏକ୍ସାଇଜ୍ ଶୁଳ୍କ ହ୍ରାସ କରିଥିଲା।