ଚଣ୍ଡିଗଡ଼ : କିଏ ଜାଣିଥିଲା ରାଜନୈତିକ ବ୍ୟଙ୍ଗାତ୍ମକ ତଥା ହାସ୍ୟ ଅଭିନେତା ଭାବରେ କ୍ୟାରିଅର୍ ଆରମ୍ଭ କରିଥିବା ଭଗୱନ୍ତ ମାନ୍ ଦିନେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ? ମୁଖ୍ୟମନ୍ତ୍ରୀ ଭାବରେ ଭଗୱନ୍ତ ମାନ୍ଙ୍କ ନେତୃତ୍ୱରେ ପଞ୍ଜାବର ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଆସନ୍ତା ୧୬ ତାରିଖରେ ଖଟ୍କର କାଲାନଠାରେ ଅନୁଷ୍ଠିତ ହେବ। ବିଧାନସଭା ନିର୍ବାଚନରେ ମୋଟ ୧୧୭ରୁ ୯୨ ଆସନରେ ଆମ୍ ଆଦମୀ ପାର୍ଟି ବିଜୟୀ ହୋଇଛି। ଏସବୁ ମଧ୍ୟରେ ଭଗୱନ୍ତ ମାନ୍ଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ଭଗୱନ୍ତଙ୍କ ଷ୍ଟାଣ୍ଡ ଅପ୍ କମେଡି ଦିନର ରିଅଲିଟି ଶୋ’ରେ ଭାଗ ନେଉଥିବା ସମୟର।
ଏହି କ୍ଲିପ୍ରେ ଭଗୱନ୍ତ ମାନ୍ ରାଜନୀତିରେ ଥଟ୍ଟା କରିଛନ୍ତି। ସେ କହୁଛନ୍ତି, ‘ମୁଁ ଜଣେ ରାଜନେତାଙ୍କୁ ପଚାରିଲି ରାଜନୀତି(ପଲିଟିକ୍ସ)ର ଅର୍ଥ କ’ଣ? ସେ ମୋତେ କହିଥିଲେ, କିପରି ଶାସନ କରିବେ ତାହା ସ୍ଥିର କରିବାର କାର୍ଯ୍ୟ। ତା’ପରେ ମୁଁ ପଚାରିଲି ‘ଗର୍ମିଣ୍ଟ’ (ଗଭର୍ଣ୍ଣମେଣ୍ଟ)ର ଅର୍ଥ କ’ଣ? ସେ କହିଲେ ଏହାର ଅର୍ଥ ହେଉଛି ଯେଉଁମାନେ ପ୍ରତ୍ୟେକ ପ୍ରସଙ୍ଗକୁ ଗୋଟିଏ ମିନିଟ୍ ପରେ ଭୁଲି ଯିବା ପାଇଁ ତାହାକୁ ଅତି ନିକଟରୁ ଅନୁଧ୍ୟାନ ('ଗୌର') କରିଥାନ୍ତି। ବିଚାରକ ଭାବେ ଉପସ୍ଥିତ ନବଜୋତ ସିଂ ସିଦ୍ଧୁ ଭଗୱନ୍ତଙ୍କ ଜୋକ୍ ଶୁଣିବା ମାତ୍ରେ ହସିବାକୁ ଲାଗିଲେ। ପଞ୍ଜାବ ନିର୍ବାଚନରେ ମାନ୍ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବାବେଳେ ସିଦ୍ଧୁ ନିର୍ବାଚନରେ ପରାଜିତ ହୋଇଛନ୍ତି। ଏଭଳି ସମୟରେ ଉକ୍ତ ଭିଡିଓ ଭାଇରାଲ ହୋଇ ରୋଚକ ବିଷୟ ପାଲଟିଛି।