ଚିକିତ୍ସା ନିମନ୍ତେ ଦିଲ୍ଲୀ ‘ଏମ୍‌ସ୍‌’କୁ ସ୍ଥାନାନ୍ତର ହେଲେ ମନୋହର ପାରିକର; ଅମିତ ଶାହଙ୍କୁ ଉତ୍ତରାଧିକାରୀ ଖୋଜିବାକୁ କହିଲେ

ନୂଆଦିଲ୍ଲୀ: କିଛି ମାସ ହେବ ଅସୁସ୍ଥ ଥିବା ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର ଆଜି ଚିକିତ୍ସା ନିମନ୍ତେ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନକୁ (ଏମ୍‌ସ୍‌) ସ୍ଥାନାନ୍ତର ହୋଇଛନ୍ତି । ଚାଟାର୍ଡ ବିମାନ ଯୋଗେ ସେ ପଣଜୀରୁ ଦିଲ୍ଲୀ ଅଣାଯାଇଛି। ଶନିବାର ମଧ୍ୟାହ୍ଣରେ ଏମ୍‌ସ୍‌ ଆସିବା ପରେ ଏକ ଡାକ୍ତରୀ ଦଳ ତାଙ୍କ ଚିକିତ୍ସା ଅାରମ୍ଭ କରିଛନ୍ତି। ଅନ୍ୟ ପକ୍ଷରେ ତାଙ୍କର ଉତ୍ତରାଧିକାରୀ ଚୟନ କରିବାକୁ ପାରିକର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଜଣାଇଥିବା କୁହାଯାଉଛି।

ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ଥଫା ଦେବାକୁ କହିଥିବା କଥା ଶୁକ୍ରବାର ଦିନ ଭାରତୀୟ ଜନତା ପାର୍ଟି ସୂତ୍ରରୁ ଜଣାପଡ଼ିବା ପରେ ବିଭିନ୍ନ କଳ୍ପନାଜଳ୍ପନା ଉପୁଜିଥିଲା।

ଆଜି ଗୋଆର ବିଧାନସଭାର ଉପବାଚସ୍ପତି ମାଇକେଲ୍‌ ଲୋବୋ ସନ୍ଦେହ ମୋଚନ କରି କହିଛନ୍ତି ଯେ ପାରିକର ଗୋଆର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ।

ଅଗ୍ନାଶୟ କର୍କଟରେ ଆକ୍ରାନ୍ତ ୬୨ ବର୍ଷିୟ ପାରିକରଙ୍କ ଅବସ୍ଥା ସଙ୍କଟଜନକ ରହିଛି।  ଚିକିତ୍ସାଧୀନ ଅବସ୍ଥାରୁ  ଆମେରିକାରୁ ଫେରିବାର ମାସେ ପରେ ଗୋଆର କୋଣ୍ଡୋଲିମ୍‌ ଠାରେ ଥିବା ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।  ଅବସ୍ଥା ନ ସୁଧୁରିବାରୁ ତାଙ୍କୁ ଆଜି ଏମ୍‌ସ୍‌ ଅଣାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଚିକିତ୍ସା ପାଇଁ ଆଜି ସେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିନ ସାଢ଼େ ଗୋଟାଏ ବେଳେ ଦିଲ୍ଲୀସ୍ଥିତ ଏମ୍‌ସ୍‌କୁ ଯିବେ। ସେଠାରେ ଗ୍ୟାଷ୍ଟ୍ରୋଏଣ୍ଟେରେଲୋଜି ବିଭାଗ ଅଧୀନସ୍ଥ ସମ୍ପୂର୍ଣ୍ଣ ପ୍ରାଇଭେଟ୍‌ ଓ୍ଵାର୍ଡରେ ଭର୍ତ୍ତି ହେବେ।

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଗୋଆ ମୁଖ୍ୟମନ୍ତ୍ରୀ ଆମେରିକାରୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ଦୀର୍ଘ ତିନି ମାସ ଧରି ଆମେରିକାରେ ଚିକିତ୍ସିତ ହେଉଥିଲେ।

ସମ୍ବନ୍ଧିତ ଖବର