ଆମେରିକାରେ ହେବ ପାରିକରଙ୍କ ଚିକିତ୍ସା!

ନୂଆଦିଲ୍ଲୀ: ସମ୍ପ୍ରତି ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଗୋଆ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ଆବଶ୍ୟକ ପଡ଼ିଲେ ଚିକିତ୍ସା ପାଇଁ ଆମେରିକା ଯାଇପାରନ୍ତି। ଆଜି ଗୋଆ ବିଧାନସଭା ଉପବାଚସ୍ପତି ମାଇକେଲ ଲୋବୋ ଏପରି ସୂଚନା ଦେଇଛନ୍ତି। ସୂଚନା ଥାଉ କି, ଆଗ୍ନେଶୟ କର୍କଟର ଶେଷ ଅବସ୍ଥାରେ ମୁଖ୍ୟମନ୍ତ୍ରୀ ପାରିକର ଚିକିତ୍ସିତ ହେଉଥିବା ନେଇ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିବା ବେଳେ ଖାଦ୍ୟରେ ବିଷକ୍ରିୟା ଯୋଗୁଁ ସେ ଅସୁସ୍ଥ ହୋଇପଡ଼ିଛନ୍ତି ବୋଲି ଲୀଳାବତୀ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ହେଉଛି ବୋଲି ଗଣମାଧ୍ୟମରେ ହସ୍ପିଟାଲ କର୍ତ୍ତୃପକ୍ଷ ଘୋଷଣା କରିବା ପରେ ତାଙ୍କୁ ଚିକିତ୍ସା ପାଇଁ ଆମେରିକା ନିଆଯିବ ବୋଲି ଆଜି ଉପବାଚସ୍ପତି ଲୋବେ କହିବା ପରେ ଏହା ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ପ୍ରକୃତରେ ମୁଖ୍ୟମନ୍ତ୍ରୀ ପାରିକରଙ୍କୁ କ’ଣ ହୋଇଛି ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କିଭଳି ରହିଛି ତାହା ଜାଣିବା ପାଇଁ ରାଜ୍ୟବାସୀ ବ୍ୟାକୁଳ ହୋଇପଡ଼ିବା ସହ ସେମାନଙ୍କ ମଧ୍ୟରେ ଚିନ୍ତାର ବାତାବରଣ ଖେଳିଯାଇଛି।

ସମ୍ବନ୍ଧିତ ଖବର