ମନୋଜ ସିହ୍ନା ଜମ୍ମୁ କାଶ୍ମୀରର ନୂଆ ଉପରାଜ୍ୟପାଳ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଉତ୍ତରପ୍ରଦେଶର ବରିଷ୍ଠ ବିଜେପି ନେତା ମନୋଜ ସିହ୍ନା ଆଜି ଜମ୍ମୁ କାଶ୍ମୀରର ନୂଆ ଉପରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫାକୁ ଗ୍ରହଣ କରାଯାଇଛି ବୋଲି ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି। ରାଷ୍ଟ୍ରପତିଙ୍କ ପ୍ରେସ୍‌ ସଚିବ ଅଜୟ କୁମାରଙ୍କ ପକ୍ଷରୁ ଜାରି ଏକ ସୂଚନାରେ କୁହାଯାଇଛି ଯେ, ମନୋଜ ସିହ୍ନାଙ୍କୁ ରାଷ୍ଟ୍ରପତି ଜମ୍ମୁ କାଶ୍ମୀରର ନୂ୍ଆ ଉପରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ମୁର୍ମୁଙ୍କ ସ୍ଥାନରେ ସେ ଏହି ନୂଆ ଦାୟିତ୍ବ ଗ୍ରହଣ କରିବେ। ୬୧ ବର୍ଷୀୟ ସିହ୍ନା ପୂର୍ବ ଉତ୍ତରପ୍ରଦେଶର ଗାଜିପୁର ଜିଲ୍ଲା ସ୍ଥିତ ମୋହନପୁରରେ ଜୁଲାଇ ୧, ୧୯୫୯ରେ ଜନ୍ମ ଗ୍ରହଣ କରିଥିଲେ।

ପୂର୍ବ ଉତ୍ତରପ୍ରଦେଶର ପଛୁଆ ଗ୍ରାମ ଗୁଡ଼ିକ ପାଇଁ ସେ ଅତି ସକ୍ରିୟ ଭାବେ କାମ କରିଥିଲେ। ୧୯୮୨ରେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ଛାତ୍ର ସଂଘର ସଭାପତି ନିର୍ବାଚିତ ହେବା ସହ ତାଙ୍କ ରାଜ୍ନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା। ୧୯୮୬ରେ ସେ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୧୯୯୯ରେ ପୁନର୍ବାର ନିର୍ବାଚିତ ହେଲେ। ୨୦୧୪ ଲୋକସଭା ନିର୍ବାଚନରେ ସିହ୍ନା ତୃତୀୟ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ମୋଦୀ ସରକାରର ପ୍ରଥମ ପାଳିରେ ପ୍ରଥମେ ସେ ରେଳ ରାଷ୍ଟ୍ରମନ୍ତ୍ରୀ ଥିଲେ ଏବଂ ପରେ ସେ ସଞ୍ଚାର ମନ୍ତ୍ରାଳୟର ସ୍ବାଧୀନ ଦାୟିତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର