କେଜ୍ରିୱାଲଙ୍କ ଘର ବାହାରେ ବିରୋଧ ପ୍ରଦର୍ଶନ କରୁଥିବାବେଳେ ବିଜେପି ନେତା ମନୋଜ ତିୱାରୀ ଆହତ

ନୂଆଦିଲ୍ଲୀ: ବିରୋଧ ପ୍ରଦର୍ଶନ ବେଳେ ଆହତ ହୋଇଛନ୍ତି ବିଜେପି ନେତା ମନୋଜ ତିୱାରୀ | ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ଛଟ ପୂଜା ପାଇଁ ଲାଗୁ ହୋଇଥିବା ପ୍ରତିବନ୍ଧକକୁ ବିରୋଧ କରୁଥିବାବେଳେ ବିଜେପି ସାଂସଦ ମନୋଜ ତିୱାରୀ ଆହତ ହୋଇଛନ୍ତି। ମନୋଜଙ୍କ ସହ ଅନେକ ବିକ୍ଷୋଭକାରୀ ଆହତ ହୋଇଛନ୍ତି । କୁହାଯାଉଛି ଯେ ମନୋଜ ତିୱାରୀ ପାଣିତୋପ(ୱାଟର କ୍ୟାନନ) ଚଳାଇବା ସମୟରେ ବ୍ୟାରିକେଡରୁ ଖସିଯିବା ପରେ ଆହତ ହୋଇଥିଲେ। ତାଙ୍କର କାନ ଏବଂ ଗୋଡରେ ଆଘାତ ଲାଗିଛି | ମନୋଜ ତିୱାରୀଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଯେଉଁଠାରେ ତାଙ୍କୁ ଚିକିତ୍ସା କରାଯାଉଛି। ସୂଚନା ମୁତାବକ ଦିଲ୍ଲୀର ବିଜେପି ନେତା ଓ କର୍ମୀମାନେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ବାହାରେ ଛଟ ପୂଜା ଉପରେ ପ୍ରତିବନ୍ଧକକୁ ବିରୋଧ କରିଥିଲେ। ଦିଲ୍ଲୀ ବିଜେପି ରାଜ୍ୟ ସଭାପତି ଆଦେଶ ଗୁପ୍ତା କହିଛନ୍ତି ଯେ ଛଟ ଉତ୍ସବ ପାଳନ ଉପରେ ପ୍ରତିବନ୍ଧକ ଲଗାଯାଇଥିବାରୁ ଏହାକୁ ନିନ୍ଦା କରାଯାଉଛି |

କରୋନା ପାଇଁ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ସେପ୍ଟେମ୍ବର ୩୦ରେ ନଦୀ କୂଳରେ ଏବଂ ସର୍ବସାଧାରଣ ସ୍ଥାନରେ ହେବାକୁ ଥିବା ଛଟ ଉତ୍ସବକୁ ନିଷିଦ୍ଧ କରିଥିଲେ | ଆଉ ଏହାକୁ ବିରୋଧ କରି ବିଜେପି ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ବିରୋଧ ପ୍ରଦର୍ଶନ କରାଯାଉଥିଲା |

ସମ୍ବନ୍ଧିତ ଖବର