ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ, ଜୁନ ୬ ସୁଦ୍ଧା ଓଡ଼ିଶା ପହଞ୍ଚିବା ସମ୍ଭାବନା

ହାଇଦ୍ରାବାଦ :  ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ଚାଷୀ, ଅର୍ଥନୀତିଜ୍ଞ ଓ ସରକାରୀ ବାବୁଙ୍କ ପାଇଁ ଖୁସି ଖବର । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ, ଦକ୍ଷିଣପୂର୍ବ ବଙ୍ଗପୋସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ଶୁକ୍ରବାର ପହଞ୍ଚିଛି ।  କିନ୍ତୁ ଏହା ପୂର୍ବ ଅଆକଳନ ତୁଳନାରେ ତିନିଦିନ ବିଳମ୍ବରେ ପହଞ୍ଚିଛି  । ‘ସାଗର’ ବାତ୍ୟା ପ୍ରଭାବରୁ ଏହି ବିଳମ୍ବ ହୋଇଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ କହିଛି । କିନ୍ତୁ ଏହାର ଗତି ବେଶ ଅନୁକୂଳ ରହିଛି ଓ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଏହା କେରଳ ଛୁଇଁବାର ସମ୍ଭାବନା ରହିଛି ।

ପୂର୍ବରୁ ଜୁନ ୧ରେ ମୌସୁମୀ କେରଳ ଛୁଇଁବ ବୋଲି ସ୍କାଇମେଟ୍‌ ପକ୍ଷରୁ ଅଟକଳ କରାଯାଇଥିଲେ ମଧ୍ୟ  ପ୍ରକୃତରେ ମୌସୁମୀ ୨-୩ ଦିନ ଆଗୁଆ କେରଳ ଛୁଇଁବ ।  ଭାରତୀୟ ପାଣିପାଗ ବିଭାଗର ଅାକଳନ ଅନୁସାରେ ମୌସୁମୀ ମେ ୨୯ରେ କେରଳ ଛୁଇଁବ ।  କେରଳରେ ୨୯ରେ ମୌସୁମୀ ଆସିଲେ ଜୁନ ୬ ତାରିଖ ବେଳକୁ ଏହା ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଶେଷଜ୍ଞ ଅନୁମାନ କରୁଛନ୍ତି ।  ଏ ବର୍ଷ  ସ୍ୱାଭାବିକ ବର୍ଷା (୯୭%) ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।  ସ୍ୱାଭାବିକ ମୌସୁମୀ ସରକାରଙ୍କ ଚିନ୍ତାକୁ ଅନେକ ପରିମାଣରେ କମାଇବାର ସମ୍ଭାବନା ରହିଛି, କାରଣ ଏହା ଫଳରେ ଫସଲ ଅମଳ ଠିକ ହେବା ସହ  ଅାର୍ଥିକ ପରିଚାଳନା ସୁବିଧାଜନକ ହେବ।

ସମ୍ବନ୍ଧିତ ଖବର