ପ୍ୟାରିସ୍‌: ପ୍ୟାରିସ୍‌ ଅଲିମ୍ପିକ୍ସର ଦ୍ବିତୀୟ ଦିନରେ ଭାରତକୁ ଐତିହାସିକ ସଫଳତା ମିଳିଛି। ମହିଳା ୧୦ ମିଟର ଏୟାର ପିସ୍ତଲ୍‌ରେ ମନୁ ଭାକର କାଂସ୍ୟ ପଦକ ଜିତି ୧୪୪ କୋଟି ଭାରତୀୟଙ୍କୁ ଚଳିତ ସଂସ୍କରଣର ପ୍ରଥମ ପଦକ ଭେଟି ଦେଇଛନ୍ତି।

Advertisment

ତା’ ସହିତ ସୁଟିଂରୁ ପଦକ ଜିତିବାରେ ୨୨ ବର୍ଷୀୟା ମନୁ ପ୍ରଥମ ଭାରତୀୟ ମହିଳା ଓ ୧୦ ମିଟର ଏୟାର ପିସ୍ତଲ୍‌ ବର୍ଗରେ ପଦକ ଜିତିବାରେ ପ୍ରଥମ ଭାରତୀୟ ହେବାର ଗୌରବ ଲାଭ କରିଛନ୍ତି। ୧୨ ବର୍ଷ ପରେ ଭାରତକୁ ବଂଧୁକ ଚାଳନାରୁ ପଦକ ମିଳିଛି।

ମନୁଙ୍କ ଏହି ସଫଳତା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଲୋକେ ତାଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବା ପାଇଁ ଚାହିଁଛନ୍ତି। ମନୁଙ୍କ ବ୍ୟକ୍ତିଗତ ଜୀବନ ଓ ଖେଳ ଜୀବନ କିପରି ରହିଛି? ଅଲିମ୍ପିକ୍ସରେ ପ୍ରବେଶ ପାଇଁ ତାଙ୍କ ଯାତ୍ରା କିପରି ଥିଲା? ସମୟ ମିଳିଲେ ସେ କ’ଣ କରନ୍ତି? ତାଙ୍କ ପସନ୍ଦର ଖାଦ୍ୟ କ’ଣ ଇତ୍ୟାତି ଇତ୍ୟାଦି।

ତେ‌ବେ ମନୁଙ୍କୁ ଯେତେବେଳେ ପଚାରାଯାଇଥିଲା ତାଙ୍କ ପସନ୍ଦର ଖାଦ୍ୟ କ’ଣ ସେ ହସି ଦେଇ କହିଥିଲେ, ‘ମୋ ମା’ଙ୍କ ହାତ ରନ୍ଧା ଖାଦ୍ୟ ମୋତେ ବହୁତ ପସନ୍ଦ। ସେଥିମଧ୍ୟରୁ ଆଳୁପରଟା ହେଉଛି ମୋର ପ୍ରିୟ। ଖେଳିବା ପାଇଁ କିଛିଦିନ ବାହାରେ ରହି ଘରକୁ ଫେରିଲା ପରେ ମା’ଙ୍କ ହାତ ରନ୍ଧା ‌ଯେକୌଣସି ଖାଦ୍ୟ ଖାଇ ଦେଲେ ମନକୁ ଏକ ଅଦ୍ଭୁ୍ତ ଶାନ୍ତି ମିଳିଥାଏ। ବାହାରେ ଯଦି କୌଣସି କାମରେ ରହି ଯାଇଛି ସେତେବେଳେ ମୁଁ ଦେଶୀ ଓ ସାଧାରଣ ଖାଦ୍ୟ ଖାଇବ‌ାକୁ ପସନ୍ଦ କରିଥାଏ।’