ନୂଆଦିଲ୍ଲୀ : ଭାରତରେ ପହଞ୍ଚିବା ପରେ ଅଲିମ୍ପିକ୍ ପଦକ ବିଜେତା ମନୁ ଭାକର ଏବଂ ସରବଜୋତ ସିଂଙ୍କ କୋଚ୍ ସମରେଶ ଜଙ୍ଗଙ୍କୁ ମିଳିଲା ଘର ଭାଙ୍ଗିବାର ନୋଟିସ | ଶୁକ୍ରବାର ଦିନ ସେ ପ୍ୟାରିସ ଅଲିମ୍ପିକ୍ସରୁ ଫେରିଥିଲେ | ଫେରୁ ଫେରୁ ତାଙ୍କ ହାତରେ ଘର ଭାଙ୍ଗିବା ପାଇଁ ନୋଟିସ ଧରାଯାଇଥିଲା। ଅଲିମ୍ପିଆନ୍ ଏବଂ ଅର୍ଜୁନ ପୁରସ୍କାର ବିଜେତା ସମରେଶ ଜଙ୍ଗଙ୍କ ଘର ସିଭିଲ୍ ଲାଇନ୍ସ ଅଞ୍ଚଳର ଖେବର ପାସ୍ ଅଞ୍ଚଳରେ | ଏହି ଅଞ୍ଚଳର ଅନ୍ୟ ବାସିନ୍ଦାଙ୍କ ସହ ତାଙ୍କୁ ମଧ୍ୟ ନୋଟିସ ମିଳିଥିବା ଜଣାପଡିଛି |

Advertisment

ନୋଟିସରେ କୁହାଯାଇଛି ଯେ, ଯେଉଁ ଅଞ୍ଚଳରେ ସେମାନଙ୍କ ଘର ରହିଛି ସେ ଜାଗା ପ୍ରତିରକ୍ଷା ମନ୍ତ୍ରାଳୟର ଅଟେ। ନୋଟିସ ପାଇବା ପରେ ସମରେଶ କହିଛନ୍ତି ଯେ, "ମୁଁ ଏ ବିଷୟରେ ଜାଣି ନଥିଲି | ସେମାନେ ସମଗ୍ର କଲୋନୀକୁ ବେଆଇନ ଘୋଷଣା କରିଛନ୍ତି। ଗତକାଲି ରାତିରେ ଘର ସବୁ ଭଙ୍ଗା ଯିବା ବିଷୟରେ ଏଠାରେ ରହୁଥିବା ବାସିନ୍ଦାଙ୍କୁ ଅବଗତ କରାଯାଇଥିଲା ଏବଂ ବର୍ତ୍ତମାନ ସମଗ୍ର କଲୋନୀକୁ ଖାଲି କରିବାକୁ ଆମ ପାଖରେ ର ମାତ୍ର ଦୁଇ ଦିନ ସମୟ ଅଛି। ୧୯୫୦ଦଶକରୁ ମୋ ପରିବାର ଗତ ୭୫ବର୍ଷ ଧରି ଏଠାରେ ରହିଆସୁଛନ୍ତି | ଆମେ ପୂର୍ବରୁ ଏହାର ବିରୋଧ କରି କୋର୍ଟକୁ ଯାଇଥିଲୁ କିନ୍ତୁ ଆମର ଆବେଦନ ଖାରଜ କରାଯାଇଥିଲା। ଘର ଭାଙ୍ଗିବା ପୂର୍ବରୁ ଲୋକମାନଙ୍କୁ ଅଧିକ ସମୟ ଦେବା କଥା | ୨ଦିନ ଭିତରେ କିଏ କେମିତି ଘର ଖାଲି କରିବ |"

ଉଲ୍ଲେଖଯୋଗ୍ୟ, ସମରେଶ ଜଙ୍ଗ ୨୦୦୬ରେ ମେଲବର୍ଣ୍ଣ କମନୱେଲଥ ଗେମ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ ଏବଂ ପାଞ୍ଚଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲେ।