ନୂଆଦିଲ୍ଲୀ: ପ୍ୟାରିସ୍‌ ଅଲମ୍ପିକ୍ସ-୨୦୨୪ରେ ଭାରତୀୟ ସୁଟର୍‌ ମନୁ ଭାକର ଇତିହାସ ରଚିଛନ୍ତି। ଗୋଟିଏ ହି ଅଲମ୍ପିକ୍ସରେ ଗୋଟାଏ ପରେ ଗୋଟାଏ ପଦକ ଜିତିବାରେ ମନୁ ଭାକର ହେଉଛନ୍ତି ପ୍ରଥମ ଭାରତୀୟ। ଅଲମ୍ପିକ୍ସରେ ଦେଶର ନାଁ ଉଜ୍ଜ୍ବଳ କରିଥିବା ମନୁ ମାତ୍ର ୨୨ ବର୍ଷ ବୟସର। ଏତେ କମ୍‌ ବୟସରୁ ସେ ଅନେକ ସଫଳତାର ଅଧିକାରିଣୀ ବନି ସାରିଛନ୍ତି।

Advertisment

ସୋସିଆଲ୍‌ ମିଡିଆରେ ମିଳୁଥିବା ଅନେକ ଶୁଭେଚ୍ଛା ସହ ମନୁ ଭାକରଙ୍କର ଏକ ଭିଡିଓ ଖୁବ୍ ଜୋର୍‌ରେ ଭାଇରାଲ୍‌ ହୋଇଛି। ଯେଉଁ ଭିଡିଓରେ ଦେଖିବାକୁ ମିଳୁଛି ଯେ ସେ ମାତ୍ର ୨୨ ବର୍ଷ ବୟସ ମଧ୍ୟରେ ୨୨ଟି ଦେଶରୁ ଅଧିକ ଦେଶ ବୁଲି ସାରିଲେଣି।

ସେହି ସବୁ ଦେଶଗୁଡ଼ିକ ମଧ୍ୟରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବ୍ରାଜିଲ୍‌, ଦକ୍ଷିଣ କୋରିଆ, ତାଇବାନ୍‌, କ୍ରୋସିଆ, ମିଶର, ଫ୍ରାନ୍ସ, ଜର୍ମାନୀ ପରି ଅନେକ ବଡ଼ ଦେଶ ସାମିଲ୍‌ ରହିଛି। ସେ ଭିନ୍ନ ଭିନ୍ନ ଦେଶରେ ଉଠାଇଥିବା ନିଜର ଫଟୋ ସହ ତାଙ୍କ ନାମ ଉଲ୍ଲେଖ କରିଛନ୍ତି। ଫଟୋଗୁଡ଼ିକରେ ତାଙ୍କ ଅନ୍ଦାଜ ସଭିଙ୍କୁ ବେଶ୍‌ ପସନ୍ଦ ଆସିଛି।

ଭାରତ ପାଇଁ ପଦକ ଆଣିବା ପରେ ଏବେ ମନୁଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମନୁ ଭାକରଙ୍କ ମୋଟ ସମ୍ପତ୍ତି ମୂଲ୍ୟ ପ୍ରାୟ ୧୨କୋଟି ଟଙ୍କା। ସେ ଭାଗ ନେଉଥିବା ପ୍ରତିଯୋଗିତାରୁ ରୋଜଗାର କରିବା ସହିତ ବିଜ୍ଞାପନ ଏବଂ ଅନ୍ୟାନ୍ୟ ଜିନିଷରୁ ଟଙ୍କା ଆୟ କରନ୍ତି। ୨୦୧୮ରେ ମନୁ ଯୁବ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହା ପରେ ହରିୟାଣା ସରକାର ତାଙ୍କୁ ୨କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲେ। ପରେ ମନୁ ଭାକର ସୋସିଆଲ ମିଡିଆରେ ଏହି ପ୍ରତିଶୃତିଗୁଡ଼ିକୁ ‘ଜୁମଲା(ଫମ୍ପା)’ ବୋଲି କହିଥିଲେ। ମନୁ ପଦକ ଜିତିବା ପରେ ଏହି ଟୁଇଟ୍ ବହୁତ ଭାଇରାଲ ହେଉଛି।