ନୂଆଦିଲ୍ଲୀ: ମଡେଲ୍ ଜେସିକା ଲାଲ୍ଙ୍କ ହତ୍ୟାକାରୀ ମନୁ ଶର୍ମା ମୁକୁଳିଲେ ମୋର କିଛି ଆପତ୍ତି ନାହିଁ। ମୁଁ ତାକୁ କ୍ଷମା କରିଦେଇଛି। ମୋ ଭିତରେ ଥିବା ସମସ୍ତ ରାଗକୁ ଏବେ ମୁଁ କାଢ଼ି ଫୋପାଡ଼ି ଦେଇଛି ବୋଲି ଜେସିକାଙ୍କ ବଡ଼ ଭଉଣୀ ସାବ୍ରିନା ଲାଲ୍ ଆଜି କହିଛନ୍ତି। ତିହାର ଜେଲ୍ର ଜନମଙ୍ଗଳ ଅଧିକାରୀଙ୍କୁ ଏକ ପତ୍ର ଲେଖି ସାବ୍ରିନା କହିଛନ୍ତି ଯେ ତାଙ୍କ ଭଉଣୀର ହତ୍ୟାକାରୀ ଏବେ ତିହାର ଜେଲ୍ରେ ୧୫ ବର୍ଷ କଟାଇ ସାରିଛି। ଇତି ମଧ୍ୟରେ ସେ ଜଣେ ସ୍ୱେଚ୍ଛାସେବୀ ଭାବେ ନିଜକୁ ଗଢି ତୋଳିଛି ଏବଂ ଜେଲ୍ ମଧ୍ୟରେ କଏଦୀମାନଙ୍କୁ ମଧ୍ୟ ସାହାଯ୍ୟ କରିଛି ତେଣୁ ଏବେ ସେ ମୁକୁଳିଲେ ମୋର କିଛି ଆପତ୍ତି ନାହିଁ।
ଉଲ୍ଲେଖଯୋଗ୍ୟ ୧୯୯୯ ମସିହା ଏପ୍ରିଲ ୩୦ ତାରିଖରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିନୋଦ ଶର୍ମାଙ୍କ ପୂଅ ମନୁ ଶର୍ମା ମଡେଲ୍ ଜେସିକାଙ୍କୁ ହତ୍ୟାକରିଥିଲେ। ଦକ୍ଷିଣ ଦିଲ୍ଲୀର ମେହରୌଲି ସ୍ଥିତ ତମରିନ୍ଦ କୋର୍ଟ ରେସ୍ତୋରାଁରେ ଏକ ପାର୍ଟିରେ ମଡେଲ ଜେସିକା ତାଙ୍କୁ ଡ୍ରିଙ୍କ୍ସ ସର୍ଭ ନକରିବାରୁ ସେ ଆକ୍ରୋଶମୂଳକ ଭାବେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ହତ୍ୟା ଘଟଣା ସେତେବେଳେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ଭଉଣୀକୁ ନ୍ୟାୟ ଦେବାପାଇଁ ସାବ୍ରିନା ୧୯୯୯ ମସିହାରୁ ଏହି ହତ୍ୟା ମାମଲା ପାଇଁ ଲଢ଼ି ଆସୁଛନ୍ତି। ତେବେ ୨୦୦୬ ମସିହାରେ ଦିଲୀ ହାଇକୋର୍ଟ ମନୁ ଶର୍ମାଙ୍କୁ ଜେସିକା ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ସୁପ୍ରିମକୋର୍ଟ ମଧ୍ୟ ୨୦୧୦ ମସିହାରେ ଦିଲ୍ଲୀ ହାଇକୋର୍ଟଙ୍କର ଏହି ରାୟକୁ ସମର୍ଥନ କରିଥିଲେ। ତେବେ ଗତ ୧୫ ବର୍ଷ ହେବ ଜେଲ୍ ଦଣ୍ଡ ଭୋଗିଥିବା ଶର୍ମାଙ୍କୁ ଗତ ୩ ମାସ ହେବ ଜେଲ୍ ଅଧିକାରୀମାନେ ତାଙ୍କ ଭଲ କାର୍ଯ୍ୟ ପାଇଁ ମୁକ୍ତ ଜେଲ୍କୁ ପଠାଇ ଦେଇଛନ୍ତି। ୪୧ ବର୍ଷୀୟ ମନୁ ଶର୍ମା ଏବେ ପ୍ରତ୍ୟେକ ଦିନ ଜେଲରୁ ନିଜ କାର୍ଯ୍ୟସ୍ଥଳକୁ ସକାଳ ୮ଟାରେ ଯାଇ ସନ୍ଧ୍ୟା ୬ଟାରେ ଫେରୁଛନ୍ତି।