ଜେଲ୍‌ରୁ ମୁକୁଳିଲେ ବହୁଚର୍ଚ୍ଚିତ ଜେସିକା ହତ୍ୟାକାଣ୍ଡର ଦୋଷୀ ମନୁ ଶର୍ମା

ନୂଆଦିଲ୍ଲୀ: ଜେଲ୍‌ରୁ ମୁକୁଳିଛନ୍ତି ଦେଶର ଅନ୍ୟତମ ହାଇପ୍ରୋଫାଇଲ୍‌ ଅପରାଧ ଜେସିକା ଲାଲ ହତ୍ୟାକାଣ୍ଡର ହତ୍ୟାକାରୀ ମନୁ ଶର୍ମା। ଜେସିକା ଲାଲଙ୍କୁ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ମନୁ ମଙ୍ଗଳବାର ଦିଲ୍ଲୀର ତିହାର ଜେଲ୍‌ରୁ ମୁକୁଳିଛନ୍ତି। ଏହି ମାମଲାରେ ମନୁଙ୍କ ସହ ଆଉ ୧୮ ଜଣ କଏଦୀ ମଧ୍ୟ ଜେଲ୍‌ରୁ ମୁକ୍ତି ପାଇଥିବା ସୂଚନା ରହିଛି।

ଦିଲ୍ଲୀର ଦଣ୍ଡ ସମୀକ୍ଷା ବୋର୍ଡ ପକ୍ଷରୁ କରାଯାଇଥିବା ଏକ ସୁପାରିସ କ୍ରମେ ଦିଲ୍ଲୀର ଲେଫ୍ଟଟନାଣ୍ଟ୍‌ ଗଭର୍ଣ୍ଣର ଅଞ୍ଜଳୀ ବୈଜଲ୍‌ ଏମାନଙ୍କୁ ଜେଲରୁ ମୁକୁଳାଇବାକୁ ଅନୁମତି ଦେଇଥିଲେ। ଜେଲ୍‌ରେ ତାଙ୍କର ସନ୍ତୋଷଜନକ ବ୍ୟବହାର ପାଇଁ ତାଙ୍କୁ ମୁକ୍ତ କରି ଦିଆଯାଇଥିବା ଜାଣିବାକୁ ମିଳିଛି। ଦିଲ୍ଲୀର ଗୃହ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅଧ୍ୟକ୍ଷତାରେ ଗତ ମାସ ‌ହୋଇଥିବା ଏକ ବୈଠକରେ ବୋର୍ଡ ପକ୍ଷରୁ ମନୁଙ୍କୁ ମୁକୁଳାଇବା ପାଇଁ ସୁପାରିସ୍‌ କରାଯାଇଥିଲା।

jedennews

ଜେଲ୍‌ ମଧ୍ୟରେ ୧୭ ବର୍ଷ କାଟିଥିବା ମନୁଙ୍କୁ ପାରୋଲ୍‌ରେ ବାହାରକୁ ଅଣାଯାଇଛି। ଗତ ନଭେମ୍ବରରେ ମନୁଙ୍କ ଓକିଲ ହାଇକୋର୍ଟରେ ମନୁଙ୍କ ସନ୍ତୋଷଜନକ ବ୍ୟବହାର ଆଧାରରେ ତାଙ୍କୁ ମୁକୁଳାଇବାକୁ ଦିଲ୍ଲୀ କୋର୍ଟରେ ଆବେଦନ କରିଥିଲେ ବି ଅଦାଲତ ତାଙ୍କ ଆବେଦନକୁ ୪ ଥର ଖାରଜ କରି ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିନୋଦ ଶର୍ମାଙ୍କ ପୁଅ ମନୁ ଶର୍ମା ମଡେଲ୍‌ ଜେସିକା ଲାଲ୍‌ଙ୍କୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ ୨୦୦୬ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୧୯୯୯ ମସିହାରେ ଏକ ପାର୍ଟିରେ ଜେସିକା ତାଙ୍କୁ ମଦ ବଢ଼ାଇ ନଦେବାରୁ ସେ ତାଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଥିଲା। ୨୦୧୦ ମସିହାରେ ‌ତାଙ୍କୁ ଏହି ମାମଲାରେ ଦଣ୍ଡିତ  କରା ଯାଇଥିଲା। ତାଙ୍କର ଭଲ ବ୍ୟବହାର ପାଇଁ ୨ ବର୍ଷ ଧରି ତାଙ୍କୁ ପ୍ରଥମେ ଏକ ଖୋଲା ଜେଲ୍‌ରେ ରଖା ଯାଇଥିଲା। ୨୦୧୮ ମସିହାରେ ଜେସିକାଙ୍କ ଭଉଣୀ ସବ୍ରିନା ଲାଲ୍‌ କହିଥିଲେ ଯେ ମନୁ ଶର୍ମାଙ୍କୁ ସେ କ୍ଷମା କରି ଦେଇଛନ୍ତି ଓ ସେ ଜେଲରୁ ମୁକୁଳିଲେ ତାଙ୍କର କୌଣସି ଆପତ୍ତିି ନାହିଁ।

ସମ୍ବନ୍ଧିତ ଖବର