ପାଇଖାନା କର୍ମଚାରୀଙ୍କୁ ମୃତ୍ୟୁ ମୁଖକୁ ଠେଲି ଦିଆଯାଉଛି: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ : ପ୍ରତିମାସରେ ପ୍ରାୟ ୫ ଜଣ ସଫେଇ କର୍ମଚାରୀ ପାଇଖାନା ଏବଂ ନର୍ଦ୍ଦମା ସଫା କରିବା ବେଳେ ପ୍ରାଣ ହରାଉଛନ୍ତି। ଏ କ୍ଷେତ୍ରରେ ସରକାରଙ୍କ ଉଦାସୀନତା ବିରୋଧରେ ଆଜି ସୁପ୍ରିମ୍‌ କୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି ସିୱର ସଫେଇ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ କିଛି ପଦକ୍ଷେପ ନିଆଯାଉ ନାହିଁ। ସେମାନଙ୍କ ସୁରକ୍ଷା ପାଇଁ ଗ୍ୟାସ ମାସ୍କ ଏବଂ ଅକ୍ସିଜେନ୍‌ ସିଲିଣ୍ଡର ଦିଆଯିବା ଊଚିତ୍‌। କିନ୍ତୁ ଏଥିପାଇଁ କାହାରି ନିଘା ନାହିଁ। ପ୍ରତି ମାସରେ ପ୍ରାୟ ୫ ଜଣ ସିୱର କର୍ମଚାରୀଙ୍କର ମୃତ୍ୟୁ ହେଉଛି। ବିଶ୍ବର ଅନ୍ୟ କେଉଁ ସ୍ଥାନରେ ଲୋକମାନଙ୍କୁ ଏମିତି ଗ୍ୟାସ୍‌ ଚ୍ୟାମ୍ବରକୁ ପଠାଇ ମରଣ ମୁହଁକୁ ଠେଲି ଦିଆଯାଉଛି କି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଏସ୍‌ସି/ଏସ୍‌ଟି ନିର୍ଯାତନା ନିବାରଣ ଆଇନ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ଗତବର୍ଷ ‌ଯେଉଁ ରାୟ ଦେଇଥିଲେ ସେନେଇ ପୁନଃ ସମୀକ୍ଷା କରିବାପାଇଁ ଆଜି କେନ୍ଦ୍ର ସରକାରଙ୍କର ଏକ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଥିଲା। ଶୁଣାଣି ସମୟରେ କୋର୍ଟ ପାଇଖାନା ଟାଙ୍କି ସଫା କରିବା ସମୟରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପାଇଁ ଉଦ୍‌ବେଗ ପ୍ରକାଶ କରିଥିଲେ। କୋର୍ଟ କହିଥିଲେ ଏହା ଅତ୍ୟନ୍ତ ଅମାନବୀୟ ମାମଲା। ଦେଶରେ ପ୍ରତିଦିନ ଏଭଳି ଘଟଣା ଘଟୁଛି। ସ୍ବାଧୀନତାର ୭୦ ବର୍ଷ ବିତିଗଲାଣି କିନ୍ତୁ ଦେଶରୁ ଏବେ ବି ଭେଦଭାବ ହଟିନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

ସମ୍ବନ୍ଧିତ ଖବର