ପିଏଫଆଇର ସଭ୍ୟ ତାଲିକାରେ ଅଛନ୍ତି ସରକାରୀ କର୍ମଚାରୀ, ଇଂଜିନିୟର, ନେତା

ନୂଆଦିଲ୍ଲୀ : ପପୁଲାର ଫ୍ରଣ୍ଟ୍ ଅଫ ଇଣ୍ଡିଆ (ପିଏଫଆଇ) ସଂପର୍କରେ କେତେକ ସାଂଘାତିକ ତଥ୍ୟ ତଦନ୍ତରୁ ଜଣାପଡ଼ିଛି । ସରକାରଙ୍କ ଦ୍ବାରା ନିଷିଦ୍ଧ ଘୋଷିତ ଏହି ସଂଗଠନରେ ସକ୍ରିୟ ସଭ୍ୟ ତାଲିକାରେ ରହିଛନ୍ତି ଅନେକ ସରକାରୀ କର୍ମଚାରୀ, ଇଂଜିନିୟର, ନେତା, ଲାଇବ୍ରେରିଆନ ଓ ସମାଜର ପ୍ରତିଷ୍ଠିତ ବ୍ୟକ୍ତି ।

ଏନଆଇଏ ସୁତ୍ରକୁ ଉଦ୍ଧାର କରି ଏକ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛି ଯେ, ପିଏଫଆଇର ସଭାପତି ଓମା ସଲାମ କେରଳ ସରକାରଙ୍କ ଅଧିନସ୍ଥ କେରଳ ରାଜ୍ୟ ବିଦ୍ୟୁତ ବୋର୍ଡର ଜଣେ କର୍ମଚାରୀ । ତେବେ ସେ ପିଏଫଆଇ ପରି ଏକ ସଂଦିଗ୍ଧ ସଂସ୍ଥାର ସଭାପତି ଥିବା ଜଣାପଡ଼ିବା ପରେ ୨୦୨୦ରେ ତାକୁ ଚାକିରିରୁ ନିଲମ୍ବିତ କରାଯାଇଥିଲା ।

ସେହିପରି ପିଏଫଆଇର ଉପ-ସଭାପତି ଅବଦୁର ରେହେମାନ ପୂର୍ବରୁ କୋଚିନ ୟୁନିଭର୍ସିଟି ଅଫ ସାଇନ୍ସ ଏଣ୍ଡ ଟେକନଲୋଜୀର ଜଣେ ଲାଇବ୍ରେରିଆନ ଭାବେ କାର୍ଯ୍ୟ କରୁଥିଲେ । ସେ ମଧ୍ୟ ପୂର୍ବରୁ ସିମିର ଜଣେ କାର୍ଯ୍ୟକର୍ତ୍ତା ଥିଲେ ।

ପିଏଫଆଇର ଜାତୀୟ ମହାସଚିବ ପି.କୋୟା ଜଣେ ସାମ୍ବାଦିକ । ସାମ୍ବାଦିକ ହେବା ପୂର୍ବରୁ ସେ ମଧ୍ୟ ଏର୍ଣ୍ଣାକୁଲମରେ ଜଣେ ଅଧ୍ୟାପକଭାବେ କାମ କରୁଥିଲେ । ସେ ଏସଡିପିଆଇ ଟିକେଟରେ  ୨୦୧୪ ଲୋକସଭା ନିର୍ବାଚନ ବି ଲଢିଥିଲେ ।

ଏହିପରିଭାବେ ଅନେକ ସରକାରୀ ବିଭାଗ, ଘରୋଇ କମ୍ପାନି, ସାମାଜିକ ସଂଗଠନ ଓ ରାଜନୈତିକ ଦଳରେ ପିଏଫଆଇ ଅନୁପ୍ରବେଶ କରିସାରିଥିଲା ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ବୁଧବାରଦିନ ପିଏଫଆଇକୁ ୫ ବର୍ଷ ପାଇଁ ନିଷିଦ୍ଧ ଘୋଷଣା କରିଛନ୍ତି । ଏହା ସହିତ ପିଏଫଆଇର ସବୁ ଶାଖା କମ୍ପାନିଗୁଡ଼ିକୁ ବି ନିଷିଦ୍ଧ କରାଯାଇଛି ।

 

 

ସମ୍ବନ୍ଧିତ ଖବର