ନୂଆଦିଲ୍ଲୀ: ମହାମାରୀ କୋଭିଡ୍-୧୯ ଦ୍ବିତୀୟ ଲହର ସଂକ୍ରମଣର ଅଣାୟତ୍ତ ପ୍ରାଦୁର୍ଭାବ ସହ ସାରା ଦେଶ ଯୁଝୁଥିବା ବେଳେ ଏହାର ଏକ ଭିନ୍ନି ବିକଳ ଚିତ୍ର ଦେଖିବାକୁ ମିଳିଛି। ଏହି ଅଧିକ ସଂକ୍ରମଣଶୀଳ ଦ୍ବତୀୟ ଲହର ସଂଖ୍ୟାଧିକ ଶିଶୁଙ୍କୁ ବାପମାଆ ହରାଇବାକୁ ବାଧ୍ୟ କରିଛି। ଏପରିକି ସ୍ଥାନେ ସ୍ଥାନେ ଅନେକ ଶିଶୁ ଉଭୟ ପିତାମାତାଙ୍କୁ ହରାଇ ସମ୍ପୂର୍ଣ୍ଣ ଅନାଥ ହୋଇପଡ଼ିଛନ୍ତି। ଏହି ନିରୀହ ବାପମାଆ ଛେଉଣ୍ଡଙ୍କର ଭଲମନ୍ଦ ବୁଝିବାକୁ କେହି ନଥିବା ବେଳେ ତମାମ ଅନ୍ଧକାର ଭିତରେ ସେମାନେ କାଳ କାଟୁଛନ୍ତି। ଅପରପକ୍ଷେ, ଯେଉଁ ଶିଶୁମାନେ କେବଳ ମାଆ କିମ୍ବା ବାପାଙ୍କୁ ହରାଇଛନ୍ତି, ସେମାନଙ୍କ ଯତ୍ନ ନେବା ପାଇଁ ମଧ୍ୟ ଘରେ ଏକମାତ୍ର ମୁରବିଙ୍କର ସମ୍ବଳର ଅଭାବ ରହିଛି। ନିକଟରେ କୋଲକାତାରେ ଜଣେ ନବଜାତକ ଉଭୟ ବାପାମାଆଙ୍କ ସମେତ ଜେଜେବାପା ଓ ଜେଜେମାଆଙ୍କୁ ମଧ୍ୟ କୋଭିଡ୍ରେ ହରାଇଥିଲା। ଅପରପକ୍ଷେ, ପରୀକ୍ଷଣରୁ ଉକ୍ତ ଶିଶୁଠାରେ ମଧ୍ୟ କରୋନା ଠାବ ହୋଇଥିଲା। ଫଳରେ ଅନ୍ୟ ସମ୍ପର୍କୀୟମାନେ ମଧ୍ୟ ସେହି ଶିଶୁକନ୍ୟାର ଯତ୍ନ ନେବାକୁ ବିମୁଖ ହୋଇଥିଲେ। ଶେଷରେ ଅନ୍ୟ ସହରରେ ରହୁଥିବା ତା'ର ଅଜା ଓ ଆଈ ତା'କୁ ବାଧ୍ୟବାଧକତାରେ ସାଙ୍ଗରେ ନେଇଛନ୍ତି। ଯଦିଓ ଏପରି ନିଜ ରକ୍ତର ଶିଶୁକୁ ଗ୍ରହଣ କରିବା ପାଇଁ ସେମାନେ ବୀତସ୍ପୃହ ହେବା କ୍ଷଣସ୍ଥାୟୀ ହୋଇପାରେ, ତେବେ ପରିସ୍ଥିତି ଏଭଳି ଆମର ମାନସିକତାକୁ ଭାଙ୍ଗି ଦେଇଛି ବୋଲି ମନସ୍ତତ୍ତ୍ବବିତ୍ମାନଙ୍କ ମତ।
କର୍ଣ୍ଣାଟକରେ ମଧ୍ୟ ସାମାଜିକ କର୍ମୀମାନେ ଶନିବାର ଅନୁରୂପ ଦୁଇଟି ଅନାଥ ଶିଶୁଙ୍କ ସହାୟତା ପାଇଁ ନିବେଦନ କରିଥିଲେ। ଅନ୍ୟ ଏକ ହୃଦୟବିଦାରକ ଘଟଣାକ୍ରମରେ ଦିଲ୍ଲୀରେ ଗତ ସପ୍ତାହରେ ସେହିଭଳି କୋଭିଡ୍ରେ ନିଜ ପିତାମାତାଙ୍କୁ ହରାଇଥିବା ଦୁଇ ଭାଇ ଭଉଣୀ ଅନନ୍ୟୋପାୟ ହୋଇ ଆତ୍ମହତ୍ୟା କରିବାକୁ ବସିଥିବା ବେଳେ ପୁଲିସ ସେମାନଙ୍କୁ ଉଦ୍ଧାର କରିଛି। ଏଭଳି ଅନାଥମାନଙ୍କ ପାଇଁ ସେମାନଙ୍କ ସମ୍ପର୍କୀୟମାନେ ହିଁ ପ୍ରଥମ ସାହା ଭରସା। ମାତ୍ର ଯେତେବେଳେ ସେହି ସମ୍ପର୍କୀୟମାନେ ସେଥିପ୍ରତି ଅନାଗ୍ରହ ହେଉଛନ୍ତି ରାଜ୍ୟ ପ୍ରଶାସନ ହିଁ ସେମାନଙ୍କ ଥଇଥାନର ବ୍ୟବସ୍ଥା କରିବା ଜରୁରୀ ବୋଲି ବୁଦ୍ଧିଜୀବୀମାନେ କହିଛି। ଅପରପକ୍ଷେ, ସେଭଳି ଅନାଥମାନଙ୍କୁ ପୋଷ୍ୟ ସୂତ୍ରରେ କୋଳେଇନେବା ପାଇଁ ସାମାଜିକ ଗଣମାଧ୍ୟମରେ ଅନେକ ନିବେଦନ ଛାଇଯାଉଛି। ମାତ୍ର ତାହା ସଂପୃକ୍ତ ଶିଶୁମାନଙ୍କ ପାଇଁ କ୍ଷତିକାରକ ହେବ ବୋଲି ସାମାଜିକ କର୍ମୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେବେ ଏଭଳି ପୋଷ୍ୟ ଗ୍ରହଣ ପାଇଁ ଆଗ୍ରହୀ ପରିବାର ସାମାଜିକ ଗଣମାଧ୍ୟମର ଭାବପ୍ରବଣତାରେ ଛଳି ନଯାଇ ଆବଶ୍ୟକ ନ୍ୟାୟିକ ପ୍ରକ୍ରିୟା ଅନୁସରଣ କରିବାକୁ ଦିଲ୍ଲୀର ଶିଶୁ ଅଧିକାର ସୁରକ୍ଷା ଆୟୋଗ ପରାମର୍ଶ କରିଛନ୍ତି। ମହାମାରୀ ପ୍ରଭାବିତ ବସ୍ତି ଅଞ୍ଚଳର ଅନେକ ଶିଶୁ ଯୌନ ନିର୍ଯାତନାର ଶିକାର ମଧ୍ୟ ହୋଇଥିବା ନଜିର ରହିଛି। ଏପରିକି ପରିସ୍ଥିତି ଚାପରେ ସମ୍ପର୍କୀୟମାନେ ସେମାନଙ୍କୁ ବାଲ୍ୟବିବାହ କରାଇ ନିଜ ଦାୟିତ୍ବ ଖସାଇଥିବା ମଧ୍ୟ ନଜିର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/564hj65456h4fs65hfshhhhhhhhhhhhhhhhhhhhhhhhhhhhhhhhhhhhhhhhhhhhhhhhhhhhhhhhhhhhhh.jpg)