ନୂଆଦିଲ୍ଲୀ : ନିକଟରେ ମାର୍କ ଜୁକରବର୍ଗଙ୍କ ସଂସ୍ଥା ଫେସବୁକ୍ ଏହାର ନାମକୁ ପରିବର୍ତ୍ତନ କରି ‘ମେଟା’ ରଖିଛି। ନାମ ପରିବର୍ତ୍ତନ କରିବାରେ ଏହା ପ୍ରଥମ କଂପାନି ନୁହେଁ। ଏହା ପୂର୍ବରୁ ବିଶ୍ବର ବହୁ ସଂସ୍ଥା ନିଜ ନାମ ପରିବର୍ତ୍ତନ କରି ଆଶାତୀତ ସଫଳତା ହାସଲ କରିଛନ୍ତି। ୨୦୧୫ରେ ଗୁଗୁଲ୍ ଏହାର ନାମକୁ ପରିବର୍ତ୍ତନ କରି ଅଲ୍ଫାବେଟ୍ ରଖିଥିଲା। ଆଲ୍ଫାବେଟ୍ ଅଧୀନରେ ଗୁଗୁଲ୍ ଏକ ସ୍ବତନ୍ତ୍ର ସଂସ୍ଥା ଭାବେ କାର୍ଯ୍ୟ କରୁଛି। ଏହାର ସିଇଓ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ସୁନ୍ଦର ପିଚାଇ। ଆଲ୍ଫାବେଟ୍ର ସିଇଓ ହେଉଛନ୍ତି ଲାରି ପେଜ୍। ସେହିପରି, ୧୯୮୧ରେ ଜାପାନର କାର୍ ନିର୍ମାତା ନିସାନ୍ ଏହାର ଲୋକପ୍ରିୟ କାର୍ ଡାଟ୍ସନ୍ ନାମରେ ନିଜ କଂପାନିର ବ୍ରାଣ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୨୦୦୧ରେ ମାର୍ଲବୋରୋ ବ୍ରାଣ୍ଡ୍ର ମାଲିକ ଫିଲିପ୍ ମୋରିସ୍ ଏହାର ନାମକୁ ବଦଳାଇ ଆଲ୍ଟ୍ରିଆ ଗ୍ରୁପ୍ ରଖିଥିଲା।
ଆଇଟି କଂପାନି ଆସେଞ୍ଚର୍ ମଧ୍ୟ ଏହାର ନାମ ପରିବର୍ତ୍ତନ କରିଛି। ୨୦୦୧ ପୂର୍ବରୁ ଏହା ଆଣ୍ଡରସନ୍ କନ୍ସଲଟିଂ ନାମରେ ପରିଚିତ ଥିଲା। ଆଣ୍ଡରସନ୍ ୱାର୍ଲଡ୍ୱାଇଡ୍ ଓ ଆର୍ଥର ଆଣ୍ଡରସନ୍ଙ୍କ ସମ୍ପର୍କ ଛିନ୍ନ କରିବା ପରେ କଂପାନି ଏହାର ନାମ ପରିବର୍ତ୍ତନ କରିଥିଲା। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନିର୍ମାଣ କରୁଥିବା ଦକ୍ଷିଣ କୋରିଆ କଂପାନି ଏଲ୍ଜି ଇଲେକ୍ଟ୍ରୋନିକ୍ସ ମଧ୍ୟ ଏହାର ନାମ ବଦଳାଇଛି। ୧୯୪୭ରେ ଏହା ଲକି ନାମରେ ପରିଚିତ ଥିଲା ଓ କସ୍ମେଟିକ୍ସ ଓ ପ୍ଲାଷ୍ଟିକ୍ ବ୍ୟବସାୟ କରୁଥିଲା, ଏହା ପରବର୍ତୀ ସମୟରେ ଗୋଲ୍ଡଷ୍ଟାର୍ ନାମରେ ନିଜର ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ୍ ଆରମ୍ଭ କରିଥିଲା। ୧୯୯୫ରେ କଂପାନି ଏଲ୍ଜି ନାମକୁ ଗ୍ରହଣ କରିଥିଲା। ଲୋକପ୍ରିୟ ସ୍ମାର୍ଟଫୋନ୍ ବ୍ଲାକ୍ବେରିର ନିର୍ମାଣ କରୁଥିବା କଂପାନିର ପୂର୍ବ ନାମ ଥିଲା ରିସର୍ଚ ଇନ୍ ମୋସନ୍। ଉତ୍ତର ଆମେରିକାର ଏହି କଂପାନି ୨୦୧୩ରେ ନିଜ ନାମ ରଖିଥିଲା ବ୍ଲାକ୍ବେରି। ଜାପାନର କଂପାନି ସୋନି ୧୯୪୬ରେ ଟୋକିଓ ସୁସିନ କୋଗ୍ୟୋ ନାମରେ ସ୍ଥାପିତ ହୋଇଥିଲା। ୧୯୫୮ରେ ଏହା ନିଜର ନାମ ପରିବର୍ତ୍ତନ କରି ସୋନି କର୍ପୋରେସନ୍ ରଖିଥିଲା। ଜୋତା କଂପାନି ନାଇକ୍ର ପୂର୍ବ ନାମ ଥିଲା ବ୍ଲୁ ରିବନ୍ ସ୍ପୋର୍ଟସ୍। ପରର୍ବତୀ ସମୟରେ ଏହା ନିଜର ନାମ ନାଇକ୍କୁ ପରିବର୍ତ୍ତନ କରିଥିଲା। ସବ୍ୱେ ନିଜର ନାମ ପରିବର୍ତ୍ତନ କରିଛି। ଏହା ପୂର୍ବରୁ ପିଟସ୍ ସୁପର ସବ୍ମାରିନ୍ ନାମରେ ପରିଚିତ ଥିଲା।