ବିନା ଟିକାରେ ମଧ୍ୟ ଅନେକ ଦେଶ କୋଭିଡ୍-୧୯ ନିୟନ୍ତ୍ରଣ କରିପାରିଛନ୍ତି: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ଜେନିଭା: କରୋନାଭାଇରସ୍‌ ଟିକା ବିନା ମଧ୍ୟ କୋଭିଡ୍‌-୧୯ ନିୟନ୍ତ୍ରଣ କରାଯାଇ ପାରେ ବୋଲି ଅନେକ ଦେଶ ପ୍ରମାଣିତ କରିଥିବା କଥା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦେଶକ ଟେଡ୍‌ରସ୍ ଆଧାନୋମ୍‌ ଘେବ୍ରେୟେସସ୍‌ ଶୁକ୍ରବାର ଦିନ କହିଛନ୍ତି।

ଘେବ୍ରେୟେସସ୍‌ କହିଛନ୍ତି, ସବୁ ଦେଶ ପ୍ରଭାବିତ ହୋଇଛନ୍ତି, କିନ୍ତୁ ସବୁ ଦେଶ ସମାନ ଭାବେ ପ୍ରଭାବିତ ହୋଇ ନାହାନ୍ତି। ସାମ୍ପ୍ରତିକ ଜ୍ଞାନକୌଶଳଦ୍ବାରା କୋଭିଡ୍‌-୧୯କୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ବିଶ୍ବର ଅନେକ ରାଷ୍ଟ୍ର ପ୍ରମାଣିତ କରି ପାରିଛନ୍ତି। ଏହି ସବୁ ଦେଶରେ ଅବଲମ୍ବନ କରାଯାଇଥିବା ଉପାୟରୁ ସାଧାରଣ ଉପାୟଟି ହେଉଛି ପରୀକ୍ଷା ଉପରେ ଗୁରୁତ୍ବାରୋପ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହାମାରୀ ପ୍ରାରମ୍ଭରୁ ପରୀକ୍ଷାର ଗୁରୁତ୍ବ ଉପରେ ଏବଂ ପରୀକ୍ଷା କରାଇବାକୁ ଦେଶମାନଙ୍କୁ ଉପକରଣ ଯୋଗାଇଦେବା ଲାଗି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ଗୁରୁତ୍ବାରୋପ କରିଛି।

Image Courtesy of The Times of India

କୋଭିଡ୍‌-୧୯କୁ ଏକ ଅସନ୍ତୁଳିତ ମହାମାରୀ ଭାବେ ଅଭିହିତ କରି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ମୁଖ୍ୟ ପୁଣି କହିଛନ୍ତି ଯେ, ପ୍ରାୟ ଅର୍ଦ୍ଧେକ ସଂକ୍ରମଣ ଏବଂ ମୃତ୍ୟୁ ମାମଲା ମାତ୍ର ୪ଟି ଦେଶରେ ଘଟିଛି। ୭୦% ମୃତ୍ୟୁ ଘଟିଛି ଶୀର୍ଷସ୍ତରୀୟ ୧୦ଟି ଦେଶରେ।

ଟିକା ପ୍ରସ୍ତୁତ ହୋଇ ସାରିଥିବାରୁ ପରୀକ୍ଷା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ, ବୟୋଜ୍ୟେଷ୍ଠ ବ୍ୟକ୍ତି ଏବଂ ସଂକ୍ରମଣ ହେବାର ଆଶଙ୍କା ଥିବା ବର୍ଗର ବ୍ୟକ୍ତିବିଶେଷଙ୍କୁ ଟିକା ଦିଆଯିବ।

ଭୂତାଣୁ କେଉଁଠି ଅଛି ନ ଜାଣିଲେ ତାହାକୁ ପ୍ରତିରୋଧ କରିହେବ ନାହିଁ। କେଉଁମାନେ ଭୂତାଣୁଦ୍ବାରା ସଂକ୍ରମିତ ତାହା ନ ଜାଣିଲେ ସେମାନଙ୍କୁ ପୃଥକ୍ କରିହେବ ନାହିଁ, ସେମାନଙ୍କର ଚିକିତ୍ସା କରାଯାଇ ପାରିବ ନାହିଁ କିଂବା ସେମାନଙ୍କର କଣ୍ଟାକ୍ଟ୍‌ ଟ୍ରେସିଙ୍ଗ୍ କରି ହେବନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର