୩ ପୁଲିସ୍‌ଙ୍କୁ ଅପହରଣ ପରେ ହତ୍ୟା; ଆତଙ୍କବାଦୀଙ୍କ ଧମକକୁ ଡରି ଇସ୍ତଫା ଦେଲେ ୬ ପୁଲିସ୍‌

ଶ୍ରୀନଗର: ଆତଙ୍କବାଦ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ପକ୍ଷରୁ ‘ଇସ୍ତଫା ଦିଅ ନଚେତ ମର’ ବୋଲି ଏକ ଭିଡିଓ ପୋଷ୍ଟ୍‍ ହେବାର ଠିକ୍‌ ପରଦିନ ଦକ୍ଷିଣ କଶ୍ମୀରର ତିନି ଜଣ ପୁଲିସ୍‌କୁ ଆତଙ୍କବାଦୀମାନେ ଅପହରଣ ପରେ ହତ୍ୟା କରିଥିବା ସୂଚନା ରହିଛି। ଏହି ହତ୍ୟା ଘଟଣା ପରେ ସଂପୃକ୍ତ ଅଞ୍ଚଳରୁ ଛଅ ଜଣ ପୁଲିସ୍‌ ନିଜର ଇସ୍ତଫା ପତ୍ର ଦାଖଲ କରି ସାରିଲେଣି।

ଗତ ଶୁକ୍ରବାର ସୋଫିଆନ୍‌ଠାରେ ଥିବା ନିଜ ଘରୁ ତିନି ଜଣ ସ୍ୱତନ୍ତ୍ର ପୁଲିସ୍‌ ଅଧିକାରୀ(ଏସ୍‌ପିଓ) ଏବଂ ପୁଲିସ୍‌ କନଷ୍ଟେବଲଙ୍କୁ ଅପହରଣ କରାଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ସୋପିଆନ୍  ଅଞ୍ଚଳର ଏକ ବଗିଚାରୁ ୩ ଜଣ ପୁଲିସ୍‌ଙ୍କର ମୃତଦେହ ମିଳିଥିଲା। ସେମାନଙ୍କ ଶରୀରର ଗୁଳି ବାଜିଥିବା ଦେଖିବାକୁ ମିଳିଛି।

ପୂର୍ବରୁ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ପକ୍ଷରୁ ପୁଲିସ୍‌ମାନଙ୍କୁ ଚାକିରି ଛାଡ଼ିବା ପାଇଁ  ଅାହ୍ବାନ କରାଯାଇଥିଲା। ଚାକିରି ଛାଡ଼ିବା ସହ ଏହାର ଏକ ପ୍ରମାଣ ସହ ଫେସ୍‌ବୁକ୍‌ରେ ଛାଡ଼ିବା ପାଇଁ କୁହାଯାଇଥିଲା। ଏପରି ନ କଲେ ଆତଙ୍କବାଦୀମାନେ ପୁଲିସ୍‌ କର୍ମୀଙ୍କ ପରିବାର ଲୋକଙ୍କୁ ବି ହତ୍ୟା କରିବାର ଧମକ ଦେଇଥିଲେ।

ଫଳରେ ଭୟବଶତଃ ଜଣ ଜଣ କରି ଛଅ ଜଣ ପୁଲିସ୍‌ ଚାକିରି ଛାଡ଼ିବା ସହ ସୋସିଆଲ୍‌ ମିଡିଆରେ ଭିଡିଓ ଅପ୍‌ଲୋଡ କରି ପ୍ରମାଣ ଦେଇଛନ୍ତି। ଜମ୍ମୁ-କଶ୍ମୀର ପୁଲିସ୍‌ ଏହି ଭିଡିଓରେ ସତ୍ୟତା ଥିବା ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର