ବହୁ ପାକିସ୍ତାନୀ ହିନ୍ଦୁ ବିନା ଭିସାରେ ଭାରତରେ ବେଆଇନ ଭାବେ ରହୁଛନ୍ତି; ତୀର୍ଥଯାତ୍ରାରେ ଆସି ଫେରୁନାହାନ୍ତି

ଚଣ୍ଡିଗଡ଼: ଧାର୍ମିକ ନିର୍ଯାତନାର ଶିକାର ହୋଇ ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୩୦,୦୦୦ ପାକିସ୍ଥାନୀ ହିନ୍ଦୁ  ଭାରତରେ ଆଶ୍ରୟ ନେଇଛନ୍ତି। ସେମାନଙ୍କ ମଧ୍ୟରୁ କେତେ ଜଣ ଦୀର୍ଘକାଳୀନ ଭିସା ନେଇ ରହୁଥିବା ବେଳେ ଆଉ କିଛି ଅନୈତିକ ଭାବେ ରହିଛନ୍ତି ବୋଲି ଗୁଇନ୍ଦା ସୂତ୍ରରୁ ଜାଣିବାକୁ ମିଳିଛି।

ଗୁଇନ୍ଦା ରିପୋର୍ଟ ଅନୁସାରେ, ଧାର୍ମିକ ନିର୍ଯାତନାର ଶିକାର ହୋଇ ଭାରତକୁ ଚାଲି ଆସୁଥିବା ଏହି ପାକିସ୍ତାନୀମାନେ ପ୍ରାୟତଃ ୨୫ ଦିନିଆ ଭିସା ନେଇ ପଞ୍ଜାବର ଅଟାରି-ୱାଘା ଓ ରାଜସ୍ଥାନର ବର୍ମର ଜିଲ୍ଲାର ମୁନାବୋ ସୀମା ଦେଇ ଭାରତକୁ ତୀର୍ଥଯାତ୍ରାରେ ଆସି ରହି ଯାଉଛନ୍ତି।

ସେମାନଙ୍କ ମଧ୍ୟରୁ କିଛି ଲୋକ ସେମାନଙ୍କ ସଂପର୍କୀୟଙ୍କ ନିକଟରେ ରହୁଥିବା ବେଳେ ଆଉ କେହି କେହି ପଞ୍ଜାବ, ହରିଆଣା, ରାଜସ୍ଥାନ ଓ ଗୁଜୁରାଟ ଆଦି ସ୍ଥାନରେ ଖେଳେଇ ହୋଇ ରହୁଛନ୍ତି।

OpIndia

ସେମାନଙ୍କ ମଧ୍ୟରୁ କିଛି ଶରଣାର୍ଥୀ ଚିରକାଳ ଭାରତରେ ରହିବା ପାଇଁ ଦୀର୍ଘକାଳୀନ ଭିସା ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ନିଜର ଚିକିତ୍ସା ଓ ଅନ୍ୟ ଯୁକ୍ତିଯୁକ୍ତ କାରଣ ଦର୍ଶାଇ ଭିସା ଆବେଦନ କରିଥିବା ବେଳେ କେତେକଙ୍କୁ ଭିସା ପ୍ରଦାନ କରାଯାଇଛି ମଧ୍ୟ।

ତେବେ ଦୀର୍ଘକାଳୀନ ଭିସା ପାଇଥିବା ଏହି ଶରଣାର୍ଥୀମାନଙ୍କୁ କେବଳ ଗୋଟାଏ ରାଜ୍ୟରେ ଚଳପ୍ରଚଳ ପାଇଁ ପୂର୍ଣ୍ଣ ସ୍ବାଧୀନତା ପ୍ରଦାନ କରାଯାଉଛି। ଆବଶ୍ୟକସ୍ଥଳେ ସେମାନେ ସେମାନଙ୍କ ପ୍ରମାଣପତ୍ରକୁ ଗୋଟାଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରିତ କରିପାରିବେ। ଭିସା ଆବେଦନ ନ କରି ଅନେକ ପାକିସ୍ତାନୀ ବେଆଇନ ଭାବେ ରହୁଛନ୍ତି ବୋଲି ସୂତ୍ରରୁ ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ୫୦ ଜଣ ଲେଖାଏଁ  ଥିବା ୧୦୦ଟି  ହିନ୍ଦୁଗୋଷ୍ଠୀ ପାକିସ୍ତାନରୁ ଭାରତ ଆସିଥିଲେ। ଏ ବର୍ଷ ବି ଧାର୍ମିକ ଯାତ୍ରାରେ ପ୍ରାୟ ୬୦ ରୁ ୭୦ଟି ଦଳ ଭାରତ ଆସିଥିବା ଅନୁମାନ କରାଯାଉଛି। ଜାଣିବାକୁ ମିଳିଛି ଯେ ଏହି ପାକିସ୍ତାନୀ ହିନ୍ଦୁମାନଙ୍କୁ ଭିସା ପ୍ରଦାନ କରି ଭାରତ ପଠାଇବା ପାଇଁ ସିନ୍ଧ ଓ ଲହୋରରେ ଥିବା ଏଜେଣ୍ଟ୍‌ମାନେ ଜଣକ ପିଛା ପ୍ରାୟ ୮ରୁ ୧୦ ହଜାର ଟଙ୍କା ନେଉଛନ୍ତି।

ସମ୍ବନ୍ଧିତ ଖବର