ଝାଡ଼ଖଣ୍ଡରେ ମାଓ ଆକ୍ରମଣ ୬ ଯବାନ ସହିଦ

୧୦ ଆହତ, ଅସ୍ତ୍ରଶସ୍ତ୍ର ଲୁଟ୍‌

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ଲାତେହାରରେ ମାଓବାଦୀମାନେ ଆଜି ପୁଲିସ ଟିମ୍‌ ଉପରେ ବଡ଼ ଧରଣର ଆକ୍ରମଣ କରିଛନ୍ତି। ଏଥିରେ ୬ ଜଣ ଯବାନ ସହିଦ ହୋଇଯାଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣ ଯବାନଙ୍କ ଅବସ୍ଥା ଗୁରୁତର ରହିଛି। ମାଓବାଦୀମାନେ ବୁଢ଼ାପାହାଡ଼ରେ ଲ୍ୟାଣ୍ଡ୍‌୍‌ମାଇନ୍‌ ବିସ୍ଫୋରଣ ଦ୍ୱାରା ପୁଲିସ ସର୍ଚ୍ଚ ଟିମ୍‌ ଉପରେ ଆକ୍ରମଣ କରିଥିଲେ।
ଆଜି ସନ୍ଧ୍ୟାରେ ଝାଡ଼ଖଣ୍ଡ ଜାଗୁଆର୍‌ ୧୨୭ ବାଟାଲିୟନ ଏବଂ ଏସ୍‌୍‌ଲଟ ଗ୍ରୁପ୍‌-୪୦ ସର୍ଚ୍ଚ ଅପରେସନ ସାରି ବୁଢ଼ା ପାହାଡ଼ରୁ ଓହ୍ଲାଉଥିବା ବେଳେ ଖପରି ମହୁଆ ନିକଟରେ ମାଓବାଦୀମାନେ ଖଂଜିଥିବା ଲ୍ୟାଣ୍ଡ୍‌ ମାଇନ୍‌୍‌ ବିସ୍ଫୋରଣ ହୋଇଥିଲା । ଘଟଣାସ୍ଥଳରେ ହିଁ ୬ ଯବାନ ସହିଦ ହୋଇଯାଇଥିଲେ। ବିସ୍ଫୋରଣ ପରେ ପରେ ମାଓବାଦୀମାନେ ପୁଲିସ ଟିମ୍‌କୁ ଘେରିଯାଇ ଗୁଳି ବର୍ଷା କରିଥିଲେ। ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ମାଓବାଦୀମାନେ ଯବାନଙ୍କଠାରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଲୁଟି ନେଇଥିବା ଜଣାପଡ଼ିଛି। ମାଓ ଆକ୍ରମଣ ନେଇ ଖବର ମିଳିବା ମାତ୍ରେ ଘଟଣାସ୍ଥଳକୁ ପଲାମୁ, ଲାତେହାର, ଗଡ଼ବା ପୁଲିସର ଅଧିକାରୀମାନେ ପହଞ୍ଚିଛନ୍ତି। ଆନ୍ଧ୍ର ପ୍ରଦେଶର ମାଓବାଦୀ ତଥା ଲ୍ୟାଣ୍ଡ୍‌ମାଇନ ତିଆରିରେ ଅଭିଜ୍ଞ ବିଶ୍ୱନାଥ ଏହି ବିସ୍ଫୋରଣ ଘଟାଇଥିବା ଜଣାପଡ଼ିଛି। ୨ ବର୍ଷ ତଳୁ ବୁଢ଼ାପାହାଡ଼ ଅଂଚଳକୁ ବିଶ୍ୱନାଥ ଆସିଥିବା ବେଳେ ଏବେ ଏଠାରେ ମାଓବାଦୀଙ୍କ ୫ରୁ ଅଧିକ ଶିବିର ସକ୍ରିୟ ରହିଥିବା ଜଣାପଡ଼ିଛି। ଆସନ୍ତାକାଲି ଏହି ଅଂଚଳରେ ବଡ଼ ଧରଣର ସର୍ଚ୍ଚ ଅପରେସନ ପାଇଁ ପୁଲିସ ଓ ସିଆର୍‌ପିଏଫ୍‌୍‌ ପ୍ରସ୍ତୁତ ହେଉଛନ୍ତି।

ସମ୍ବନ୍ଧିତ ଖବର