ଚୀନ୍‌ରେ ମାଓବାଦ ପାଠ୍ୟକ୍ରମ ବାଧ୍ୟତାମୂଳକ

ନୂଆ ପିଢ଼ିଙ୍କୁ ମାଓ ଆଦର୍ଶରେ ଅନୁପ୍ରାଣିତ କରିବାକୁ ଯୋଜନା

ବେଜିଂ: ଗୋଟିଏ ପଟେ ମାଓବାଦକୁ ଏବେ ଏକ  ସଙ୍କଟ ଓ ସମସ୍ୟା ଭାବେ ବିଶ୍ୱ ଗ୍ରହଣ କରିଥିବା ବେଳେ ଅନ୍ୟପଟେ ଚୀନ୍‌ର କମ୍ୟୁନିଷ୍ଟ୍‍ ସରକାର  ମାଓ ଆଦର୍ଶର ପ୍ରଚାର ପ୍ରସାର ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ  ଗ୍ରହଣ କରିଛନ୍ତି। ଉଚ୍ଚ ଶିକ୍ଷା କ୍ଷେତ୍ରରେ ମାଓବାଦ ସଂପର୍କିତ ପାଠ୍ୟକ୍ରମକୁ ବାଧ୍ୟତାମୂଳକ କରାଯିବା ସହ ଭବିଷ୍ୟତର ମାଓ ନେତା ଓ ମାଓନୀତି ବିଷାରଦ ସୃଷ୍ଟି କରିବାକୁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି।  ଚୀନ୍‌ରେ ମାଓ ସେତୁଙ୍ଗ୍‌ଙ୍କୁ ଜଣେ ମହାନ ରାଷ୍ଟ୍ରନେତା ଭାବେ ବିବେଚନା  କରାଯାଏ। ଏବେ ପରିବର୍ତ୍ତିତ ବିଶ୍ୱରେ ଚୀନ୍‌ ସରକାର ମାଓଙ୍କର ବିଭିନ୍ନ ଦର୍ଶନ ତତ୍ତ୍ୱ  ଏବଂ ପୁଞ୍ଜିବାଦ ବିରୋଧୀ ଚିନ୍ତାଧାରାକୁ ଅଧିକ ପ୍ରଭାବଶାଳୀ ଢ଼ଙ୍ଗରେ ପାଠ୍ୟକ୍ରମରେ ସାମିଲ କରିଛି। ଏହା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ଭବିଷ୍ୟତ ଯୋଜନାକୁ ମଧ୍ୟ ସୁଦୃଢ଼ କରିବ ବୋଲି କୁହାଯାଉଛି। ଚୀନ୍‌ରେ ମାଓବାଦର ପ୍ରଚାର ପ୍ରସାର ପାଇଁ ଏବେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର କ୍ଲାସ୍‌ ନିଆଯାଉଛି ।  ଆଗାମୀ ପିଢ଼ିର ମାଓନେତା ପ୍ରସ୍ତୁତ କରିବାକୁ ଏହା ଚୀନ୍‌ ସରକାରଙ୍କ ଯୋଜନାବଦ୍ଧ ପ୍ରାୟାସ  ହୋଇଥିବା ବେଳେ  ୨୦୦୦ରୁ  ଅଧିକ ବିଶ୍ୱବିଦ୍ୟାଳୟରେ ଏ ବାବଦ  ଶିକ୍ଷା ଦିଆଯାଉଛି। ଏସବୁ ଶିକ୍ଷା ବ୍ୟବସ୍ଥା  ପରିଚାଳନା ଦାୟିତ୍ୱ ସରକାରଙ୍କ ଏକ ସ୍ୱତନ୍ତ୍ର ବିଭାଗ ହାତକୁ ନେଇଛି।  ଅନେକ କ୍ଷେତ୍ରରେ ପିଲାମାନେ ସିଧାସଳଖ କ୍ଲାସ୍‌ରୁମ୍‌ରେ ଉପସ୍ଥିତ ନରହି ଅନଲାଇନ୍‌ରେ ମଧ୍ୟ ଶିକ୍ଷା ଗ୍ରହଣ କରୁଛନ୍ତି।   ଇଞ୍ଜିନିୟରିଂ ଛାତ୍ର ଏବଂ ଅନ୍ୟ  ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଛାତ୍ର  ମାଓ ସେତୁଙ୍ଗ୍‌୍‌ଙ୍କୁ ଗଭୀର ଭାବେ ଅଧ୍ୟୟନ କରୁଛନ୍ତି।   ଅନେକ ଦଶନ୍ଧୀ ଧରି ଚୀନ୍‌ରେ ଆଦୃତ ହୋଇଥିବା ଏହି ମାଓବାଦ ଓ ଶାସନ ବ୍ୟବସ୍ଥାକୁ ବିଶ୍ୱର ଅନ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥା ଅପେକ୍ଷା ଅଧିକ ଫଳପ୍ରଦ ଓ ସ୍ଥାୟୀ କରିବାକୁ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଯୋଜନା କରିଛନ୍ତି।  ଚୀନ୍‌ ସରକାରଙ୍କ ଚାପରେ ଏବେ  ପ୍ରଫେସରମାନେ  ଛାତ୍ରମାନଙ୍କ ମଧ୍ୟରେ ମାଓ ଚିନ୍ତାଧାରା ଜାଗ୍ରତ କରାଉଛନ୍ତି। ଏହି ପାଠ୍ୟକ୍ରମର ମୁଖ୍ୟ ସଂଯୋଜକ କୁହାଯାଉଥିବା  ଫେଙ୍ଗ୍‌ ଉଜହୋଙ୍ଗ କହିଛନ୍ତି ଯେ ଆମେ ମାଓ ତତ୍ତ୍ୱକୁ ଅଧିକ ଉତ୍ସାହଜନକ କରିବାପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଛୁ।  ଚୀନ୍‌ରେ ୨,୫୦୦ ବିଶ୍ୱବିଦ୍ୟାଳୟରେ ଏହି ପାଠ୍ୟକ୍ରମ ପ୍ରତି ଆଗ୍ରହ ବଢ଼ିଛି ବୋଲି ସେ କହିଛନ୍ତି।   କମ୍ୟୁନିଷ୍ଟ ଏକଛତ୍ରବାଦକୁ ବିଶ୍ୱର ସର୍ବଶ୍ରେଷ୍ଠ ସଫଳ ରାଜନୈତିକ ବ୍ୟବସ୍ଥା ଭାବେ ଗ୍ରହଣ କରିବାକୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯାଇଥିବା ବେଳେ କେତେକ ମହଲ ଏହାର ବିରୋଧ ମଧ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର