ମାଓବାଦୀଙ୍କ ଦିନକାଳ ସରିଆସୁଛି : ରାଜନାଥ

ନୂଆଦିଲ୍ଲୀ : ଦିନେ ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ବିପଦ ଥିବା ନକ୍ସଲବାଦର ଦିନକାଳ ସରି ଆସୁଛି । ଏଥିପାଇଁ ସେମାନେ କାପୁରପଷଙ୍କ ପରି ଲୁଚି ଲୁଚି ସୁରକ୍ଷାବଳଙ୍କ ଗାଡି ଉପରକୁ ଆକ୍ରମଣ କରୁଛନ୍ତି ବୋଲି କହିଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂ ।

ସିଆରପିଏଫର ୭୯ତମ ପ୍ରତିଷ୍ଠା ଦିବସ ପ୍ୟାରେଡ୍‌ ଅବସରରେ ସେ କହିଛନ୍ତି ଯେ ମାଓବାଦୀମାନେ ଏବେ ସୁରକ୍ଷାବଳଙ୍କ ଗାଡି ଉପରକୁ ଆକ୍ରମଣ କରୁଛନ୍ତି, କାରଣ ସେମାନେ ସମ୍ମୁଖ ଯୁଦ୍ଧରେ ଆମ ସୁରକ୍ଷାବାହିନୀର ସାମନା କରିପାରିବେ ନାହିଁ । ସେ କହିଛନ୍ତି ଯେ ସିଆରପିଏଫ ଓ ଅନ୍ୟ ସୁରକ୍ଷା ବାହିନୀମାନଙ୍କ ନିୟମିତ ଅପରେସନ ଯୋଗୁଁ ମାଓବାହୀ ହିଂସା ଅନେକ ହ୍ରାସ ପାଇଛି । କିନ୍ତୁ ଏହା ଏବେବି ଏକ ଆହ୍ଵାନ ହୋଇ ରହିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବରୁ ମାଓବାଦୀ ହିଂସା ଯୋଗୁଁ ଅନେକ ପୁଲିସ, ସୁରକ୍ଷା ବାହିନୀର ଜବାନ ଓ ସାଧାରଣ ଲୋକ ମରୁଥିଲେ । କିନ୍ତୁ ସିଆରପିଏଫର ସାହସିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏବେ ମାଓବାଦୀମାନେ ଅଧିକ ମୃତାହତ ହେଉଛନ୍ତି ।

ସେ କହିଛନ୍ତି ସିଆରପିଏଫ ଏବେ ବିଭିନ୍ନ କ୍ଷେତ୍ରରେ ଦେଶକୁ ସୁରକ୍ଷା ଦେଇଚାଲିଛି । ସେଗୁଡ଼ିକ ମଧ୍ୟରେ ରହିଛି କାଶ୍ମୀର, ଉତ୍ତରପୂର୍ବ ଓ ମାଓବାଦ । ଆଗାମୀ ଦିନରେ ମଧ୍ୟ ସିଆରପିଏଫ ଦେଶ ପାଇଁ ନିଜର ସେବା ଜାରି ରଖିବ । ଏହି ପ୍ୟାରେଡରେ ସିଆରପିଏଫ କମାଣ୍ଡାଣ୍ଟ ଚେତନ ଚିତା ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର