ମାଓବାଦୀଙ୍କୁ ବିପ୍ଳବୀ କହୁଛି କଂଗ୍ରେସ: ମୋଦୀ

ଜୟପୁର: ମୁମ୍ବାଇ ୨୬/୧୧ ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କଂଗ୍ରେସକୁ ଘେରିଛନ୍ତି। ମୋଦୀ କହିଛନ୍ତି, ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇ ଆକ୍ରମଣ ଯୋଗୁ ୧୬୬ ଲୋକ ପ୍ରାଣ ହରାଇଥିଲେ। ସେ ସମୟରେ କ୍ଷମତାରେ ଥିବା କଂଗ୍ରେସ ସରକାର ଏହାର ଜବାବ ଦେଇନଥିଲା। ଏମିତି କି ଏଭଳି ଆକ୍ରମଣକୁ ନେଇ ରାଜନୀତି ରୂପ ନଦେବାକୁ ସବୁ ଦଳକୁ ଏହା ଅନୁରୋଧ କରିଥିଲା। କିନ୍ତୁ ୨୦୧୬ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଉପରେ ଦଳ ପ୍ରଶ୍ନ ଉଠାଇବାକୁ ଭୁଲି ନଥିଲା। ପାକିସ୍ତାନ ସୀମା ଭିତରେ ପଶି ଭାରତୀୟ ଯବାନ ବୀରତ୍ବର ସହ ଆତଙ୍କବାଦୀଙ୍କୁ ଜବାବ ଦେବା ପରେ ସେମାନଙ୍କ ସାମର୍ଥ୍ୟ ଉପରେ ଅଙ୍ଗୁଳି ଉଠାଇଥିଲା। ଏହାର ପ୍ରମାଣ ମାଗିଥିଲା। କଂଗ୍ରେସର ଏଭଳି ଆଭିମୁଖ୍ୟ ଦୁର୍ଭାଗ୍ୟଜନକ।
ରାଜସ୍ଥାନରେ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେଇ ମୋଦୀ କହିଛନ୍ତି ଯେ ୟୁପିଏ ସରକାର ବେଳେ ଜମ୍ମୁ କଶ୍ମୀରରେ ବାରମ୍ବାର ଆତଙ୍କବାଦୀ ଆକ୍ରମଣ ହେଉଥିଲା। କିନ୍ତୁ ଏବେ ତାହା ହ୍ରାସ ପାଇଛି। ପୂର୍ବରୁ ଆତଙ୍କବାଦୀମାନେ ସୀମା ଭିତରେ ବାରମ୍ବାର ପଶିବାରେ ସଫଳ ହେଉଥିଲେ। କିନ୍ତୁ ଏନ୍‌ଡିଏ ସରକାରରେ ଏଭଳି ଘଟୁନାହିଁ। ଆତଙ୍କବାଦୀମାନେ ଜମ୍ମୁ କଶ୍ମୀର‌ ସୀମା ଡେଇଁ ପଶିବାକୁ ସୁଯୋଗ ପାଉନାହାନ୍ତି। ଫଳରେ ସେମାନେ ଅନ୍ୟ ବାଟ ଆପଣାଉଛନ୍ତି। ବର୍ତ୍ତମାନର ସରକାର ଆତଙ୍କବାଦୀ ଓ ମାଓବାଦୀଙ୍କୁ ସେମାନଙ୍କ ଭାଷାରେ ବୁଝାଉଛି। କଂଗ୍ରେସକୁ ସମାଲୋଚନା କରି ମୋଦୀ କହିଛନ୍ତି, ଦଳ ମାଓବାଦୀମାନଙ୍କୁ ସମର୍ଥନ କରୁଛି। ସେମାନଙ୍କୁ ବିପ୍ଳବୀ ବୋଲି ଅଭିହିତ କରି ପ୍ରମାଣପତ୍ର ଦେଉଛି। ତେଣୁ କଂଗ୍ରେସ କିମ୍ବା ଏହାର ପ୍ରମୁଖ ନେତାଙ୍କୁ ଗୁରୁତ୍ବ ନଦେବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର