ମାଓବାଦୀ ସମ୍ପର୍କ!:୫ ରାଜ୍ୟରେ ଚଢ଼ଉ:୫ ସାମାଜିକ କର୍ମୀ ଗିରଫ

ନୂଆଦିଲ୍ଲୀ: ଭୀମା କୋରେଗାଁଓ ହିଂସା ମାମଲାରେ ଆଜି ପୁନେ ପୁଲିସ ଦେଶବ୍ୟାପୀ ମାଓବାଦୀ ସମର୍ଥକ ସାମାଜିକ କର୍ମୀଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ଉ କରିଛି। ହାଇଦ୍ରାବାଦରେ ସାମାଜିକ କର୍ମୀ ତଥା ଲେଖକ ବରବରା ରାଓ, ମୁମ୍ବାଇରେ ଆଇନଜୀବୀ ଭେର୍ନୋନ୍‌ ଗନ୍‌ସାଲଭେସ୍‌ ଏବଂ ଅରୁଣ ଫେରେଇରା, ଛତିଶଗଡ଼ରେ ଶ୍ରମିକ ନେତା ସୁଧା ଭରଦ୍ୱାଜ ଏବଂ ଦିଲ୍ଲୀରେ ନାଗରିକ ଅଧିକାର କାର୍ଯ୍ୟକର୍ତ୍ତା ଗୌତମ ନବଲଖାଙ୍କ ବାସଭବନରେ ଚଢ଼ଉ କରି ସେମାନଙ୍କୁ ଗିରଫ କରାଯାଇଛି। ଏହାବାଦ୍‌ ରାଞ୍ଚିରେ ଫାଦର ଷ୍ଟାନ୍‌ ସ୍ୱାମୀ, ତେଲେଙ୍ଗାନାରେ ତେକୁଲା କ୍ରାନ୍ତି ଏବଂ ଗୋଆରେ ଲେଖକ ତେଲତୁମ୍ବଦେଙ୍କ ବାସଭବନରେ ମଧ୍ୟ ଚଢ଼ଉ ହୋଇଛି। ଏହି ସାମାଜିକ କାର୍ଯ୍ୟକର୍ତ୍ତାମାନେ ମାଓବାଦୀଙ୍କ ସହିତ ଲଗାତାର ସଂପର୍କରେ ରହୁଥିବା ଏବଂ ହିଂସା ଷଡ଼ଯନ୍ତ୍ରରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ୨୦୧୭ ମସିହା ଡିସେମ୍ବର ୩୧ ତାରିଖରେ ‘ଏଲଗାର ପରିଷଦ’ ବୈଠକର ମାଓ ସଂପର୍କ ନେଇ ଏବେ ବ୍ୟାପକ ଖୋଳତାଡ଼ ଚାଲିଛି। ଏହି ବୈଠକ ପରେ ଭୀମା କୋରେଗାଓଁ ଅଂଚଳରେ ବ୍ୟାପକ ହିଂସା ସୃଷ୍ଟି ହୋଇଥିଲା।
ଆଜି ପୁନେ ପୁଲିସ ମହାରାଷ୍ଟ୍ର, ତେଲେଙ୍ଗାନା, ଦିଲ୍ଲୀ, ହରିୟାଣା ଏବଂ ଗୋଆରେ ପ୍ରାୟ ୯ ଜଣ ସାମାଜିକ କର୍ମୀଙ୍କ ବାସଭବନରେ ଚଢ଼ାଉ କରିଛନ୍ତି ଏବଂ ୫ ଜଣଙ୍କୁ ଗିରଫ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ବରବରା ରାଓଙ୍କୁ ହାଇଦ୍ରାବାଦ୍‌ରୁ ଗିରଫ କରାଯାଇଥିବା ବେଳେ ସୁଧା ଭରଦ୍ୱାଜଙ୍କୁ ଫରିଦାବାଦ୍‌ରୁ ଗିରଫ କରାଯାଇଛି। ପୁନେ ପୁଲିସ ଆଜି ସକାଳ ୬ଟାରୁ ବିଭିନ୍ନ ରାଜ୍ୟରେ ଚଢ଼ଉ କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରଥମେ ମୁମ୍ବାଇରୁ ଚଢ଼ଉ ଆରମ୍ଭ ହୋଇଥିଲା। ପୁନେ ପୁଲିସ ଆଜି ନବଲଖାଙ୍କୁ ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ରିମାଣ୍ଡ୍‌ରେ ନେବାକୁ ଚାହିଥିବା ବେଳେ ଆସନ୍ତାକାଲି ଦିଲ୍ଲୀ ହାଇକୋର୍ଟରେ ମାମଲାର ଶୁଣାଣି ଅଛି। ନବଲଖାଙ୍କୁ ଦିଲ୍ଲୀରୁ ଅନ୍ୟତ୍ର ସ୍ଥାନାନ୍ତର ନକରିବାପାଇଁ ଦିଲ୍ଲୀ ହାଇକୋର୍ଟ ରୋକ୍‌ ଲଗାଇଛନ୍ତି।
ଉଲ୍ଲେଖଯୋଗ୍ୟ ଗତ ଜୁନ୍‌ ମାସରେ ଭୀମା କୋରେଗାଓଁ ହିଂସାକାଣ୍ଡ ମାମଲାରେ ପୁନେ ପୁଲିସ ପୂର୍ବରୁ ୫ ଜଣଙ୍କୁ ଗିରଫ କରିଥିଲା। ତେବେ ଏହି ୫ ଜଣଙ୍କୁ ଜେରା କରିବାପରେ ପୁଲିସ ସେମାନଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ଆଜି ଦେଶବ୍ୟାପୀ ଚଢ଼ଉ କରିଛି। ପୁନେ ପୁଲିସ ଜବତ କରିଥିବା ଏକ ଚିଠିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟାପାଇଁ ଷଡ଼ଯନ୍ତ୍ର ହୋଇଥିବା ଜଣାପଡ଼ିଥିଲା। ତେବେ ଏହି ଚିଠିରେ ବରବରା ରାଓଙ୍କ ନାମ ଉଠିଥିଲା। ମୋଦୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ନେଇ ଆଜି ପୁନେ ପୁଲିସ ବରବରାଙ୍କୁ ଗିରଫ କରିଛି। ଗତବର୍ଷ ଡିସେମ୍ବର ୩୧ ତାରିଖରେ ଭୀମା କୋରେଗାଓଁ ଯୁଦ୍ଧର ୨୦୦ ବର୍ଷ ପୂର୍ତ୍ତି ଅବସରରେ ହୋଇଥିବା ଏଲଗାର ପରିଷଦ କାର୍ଯ୍ୟକ୍ରମକୁ ନେଇ ଦକ୍ଷିଣପନ୍ଥୀ ଗୋଷ୍ଠୀ ଏବଂ ଦଳିତଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ହୋଇଥିଲା।
ବୁଦ୍ଧିଜୀବୀ କ୍ଷୁବ୍ଧ
ନୂଆଦିଲ୍ଲୀ,୨୮/୮: ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ଆଜି ବରିଷ୍ଠ ବାମ ବିଚାରଧାରାର ସାମାଜିକ କର୍ମୀଙ୍କ ବାସଭବନରେ ଚଢ଼ଉ ଘଟଣାକୁ ବିଭିନ୍ନ ମହଲ ନିନ୍ଦା କରିଛନ୍ତି। ସାମାଜିକ କର୍ମୀ ଏବଂ ଆଇନଜୀବୀଙ୍କ ବାସଭବନରେ ଚଢ଼ଉ ହେବା ଘଟଣା ଗଣତାନ୍ତ୍ରିକ ଅଧିକାର ଉପରେ ଆକ୍ରମଣ ବୋଲି ଲେଖକ ତଥା ସାମାଜିକ କର୍ମୀ ଅରୁନ୍ଧତୀ ରାୟ କହିଛନ୍ତି। ଆଇନଜୀବୀ, ସାମାଜିକ କର୍ମୀ, ଲେଖକ ଏବଂ ଦଳିତ ଅଧିକାର କର୍ମୀଙ୍କ ବାସଭବନରେ ଚଢ଼ଉ ଅପେକ୍ଷା ଯେଉଁମାନେ ଭିଡ଼ହିଂସା କରୁଛନ୍ତି ଏବଂ ସ୍ପଷ୍ଟ ଦିବାଲୋକରେ ଲୋକଙ୍କୁ ହତ୍ୟା କରୁଛନ୍ତି ସେମାନଙ୍କ ବାସଭବନରେ ଚଢ଼ଉ ହେବା ଉଚିତ ବୋଲି ଅରୁନ୍ଧତୀ କହିଛନ୍ତି। ଲେଖକ ତଥା ଐତିହାସିକ ରାମଚନ୍ଦ୍ର ଗୁହା ସରକାରଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ମହାରାଷ୍ଟ୍ର ପୁଲିସ୍‌ ଦ୍ୱାରା ଏହା ଏକ ନିଷ୍ଠୁର, ଦମନକାରୀ କାର୍ଯ୍ୟ ବୋଲି ଗୁହା କହିଛନ୍ତି। ଆଜି ଯଦି ମହାତ୍ମା ଗାନ୍ଧୀ ଜୀବିତ ଥାନ୍ତେ ଏବଂ ଜଣେ ଓକିଲ ହିସାବରେ ସେ ସୁଧା ଭରଦ୍ୱାଜଙ୍କ ସପକ୍ଷରେ କୋର୍ଟରେ ଠିଆ ହୋଇଥାନ୍ତେ, ତେବେ ତାଙ୍କୁ ମଧ୍ୟ ମୋଦୀ ସରକାର ଜେଲ୍‌ରେ ଭର୍ତ୍ତି କରିଥାନ୍ତେ।

ସମ୍ବନ୍ଧିତ ଖବର