ଦକ୍ଷିଣ ଭାରତକୁ ଲମ୍ବିଛି ମାଓ ନେଟଓ୍ବର୍କ, ୨୦ଟି ସ୍ଥାନରେ ଏନଆଇଏର ଚଢଉ

ନୂଆଦିଲ୍ଲୀ : ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ ଆଜି ଦକ୍ଷିଣ ଭାରତୀୟ ରାଜ୍ୟ କେରଳ, କର୍ଣ୍ଣାଟକ ଓ ତାମିଲନାଡୁର ୨୦ଟି ସ୍ଥାନରେ ଚଢଉ କରାଯାଇଛି । ଏସବୁ ରାଜ୍ୟରେ ମାଓବାଦୀଙ୍କ ନେଟଓ୍ବର୍କ ଥିବା ଜଣାପଡ଼ିବା ପରେ ଏନଆଇଏ ପକ୍ଷରୁ ଏହି ଚଢଉ କରାଯାଇଛି ।
ନିଷିଦ୍ଧ ଘୋଷିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ପକ୍ଷରୁ ଏସବୁ ରାଜ୍ୟରେ ନିଜର ନେଟଓ୍ବର୍କକୁ ସୁଦୃଢ କରି ନିଜ କ୍ୟାଡରମାନଙ୍କୁ ସାମରିକ ତାଲିମ ଦିଆଯାଉଥିବା ସୂଚନା ମିଳିବା ପରେ ଏନଆଇଏ ପକ୍ଷରୁ ଏହି ଚଢଉ କରାଯାଇଛି ।

ଏନଆଇଏ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗତ ୨୦୧୬ ସେପ୍ଟେମ୍ବର ମାସରେ କେରଳର ନିଳାମ୍ବର ଜଙ୍ଗଲରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ପକ୍ଷରୁ ନିଜର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ପତାକା ଉତ୍ତୋଳନ କରାଯିବା ସହ ସାମରିକ ତାଲିମ ଶିବିର ଆୟୋଜନ କରି ନିଜ କ୍ୟାଡରମାନଙ୍କୁ ଅସ୍ତ୍ରଶସ୍ତ୍ର ତାଲିମ ଦିଆଯାଇଥିଲା । ଏହି ମାମଲାକୁ ନେଇ ୨୦୧୭ରେ କେରଳରେ ଏକ ମାମଲା ରୁଜ୍ଜୁ ହେବା ପରେ କେରଳ ପୁଲିସର ଆତଙ୍କବାଦ ନିରୋଧୀ ସ୍କ୍ବାର୍ଡ ଏହି ମାମଲାର ତଦନ୍ତ କରିଆସୁଥିଲା । ପରେ ଏହି ମାମଲା ଏନଆଇଏ ପାଖକୁ ଆସିବା ପରେ ଏନଆଇଏ ମାଓ ନେଟଓ୍ବାର୍କକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର