ନୂଆଦିଲ୍ଲୀ: ସମଗ୍ର ଦେଶରେ ମାଓବାଦୀ ହିଂସା ଘଟଣା ୨୦୦୯ରେ ୨,୨୫୮ଟି ଘଟିଥିଲା। ଯାହାକି ସର୍ବୋଚ୍ଚ ରହିଥିଲା। ତେବେ, ଏଥିରେ ୭୦ ପ୍ରତିଶତ ହ୍ରାସ ଘଟି ୨୦୨୦ରେ ସାରା ଦେଶରେ ମାତ୍ର ୬୬୫ରେ ପହଞ୍ଚିଛି ବୋଲି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ରାଜ୍ୟସଭାରେ ସୂଚନା ଦେଇଛନ୍ତି।
ସେହିଭଳି ମାଓ ହିଂସାରେ ସାଧାରଣ ନାଗରିକ ଏବଂ ସୁରକ୍ଷା ବାହିନୀ ଯବାନଙ୍କ ମୃତ୍ୟୁ ସଂଖ୍ୟା ୨୦୧୦ରେ ୧୦୦୫ ରହିଥିଲା। ଯାହାକି ସର୍ବକାଳୀନ ସର୍ବୋଚ୍ଚ ସ୍ତର ରହିଥିଲା। ତେବେ ୨୦୨୦ରେ ଏହା ୧୮୩କୁ କମିଛି। ଏଥିରେ ୮୦ ପ୍ରତିଶତ ହ୍ରାସ ଘଟିଛି। ସେହିଭଳି ମାଓ ହିଂସାର ଭୌଗୋଳିକ ବିସ୍ତାର ସଂକୀର୍ଣ୍ଣ ହୋଇଛି। ବର୍ତ୍ତମାନ ଦେଶର ନଅଟି ରାଜ୍ୟର କେବଳ ୫୩ଟି ଜିଲ୍ଲା ମାଓ ଉପଦ୍ରୁତ ରହିଛି। ହେଲେ, ୨୦୧୩ରେ ଦେଶର ୧୦ ଟି ରାଜ୍ୟର ୭୬ ଟି ଜିଲ୍ଲା ମାଓ ଉପଦ୍ରୁତ ଅଞ୍ଚଳ ଭାବେ ପରିଗଣିତ ହେଉଥିଲା। ତେବେ ସାନ୍ତ୍ୱନାର ବିଷୟ ହେଲା ମାଓ ହିଂସା ଏବଂ ଏହାର ଭୌଗୋଳିକ ବିସ୍ତାର ଘଟଣାରେ ହ୍ରାସ ପାଉଥିବା ଧାରା ୨୦୨୧ରେ ମଧ୍ୟ ଜାରି ରହିଛି ବୋଲି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ରାଜ୍ୟସଭାରେ କହିଛନ୍ତି।