ରାଜୀବ ଗାନ୍ଧିଙ୍କୁ ଯେଭଳି ଢ଼ଙ୍ଗରେ ହତ୍ୟା କରାଯାଇଥିଲା ଠିକ୍‌ ସେହି ଭଳି ମୋଦିଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ମାଓବାଦୀ

ପୁଣେ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାଓବାଦୀମାନେ ହତ୍ୟା କରିବାକୁ ଯୋଜନା କରୁଛନ୍ତି ବୋଲି କିଛିଦିନ ତଳେ ଖବର ପ୍ରକାଶ ପାଇଥିଲା। ପୁଣେ ପୁଲିସ ଗୁରୁବାର ମାଓବାଦୀଙ୍କର ଏକ ଚିଠିକୁ ଜବତ କରିଛି। ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଯେମିତି ଭାବେ ହତ୍ୟା କରାଯାଇଥିଲା ସେମିତି ଢ଼ଙ୍ଗରେ ମୋଦିଙ୍କୁ ହତ୍ୟା କରିବାକୁ ମାଓବାଦୀ ଯୋଜନା କରୁଥିବା କଥା ଜାଣିବାକୁ ପାଇଛି ପୁଲିସ। ଏହି ଚିଠିଟି ସେହି ପାଞ୍ଚ ଜଣଙ୍କ ମଧ୍ୟରୁ ଜଣଙ୍କ ଘରୁ ଜବତ କରାଯାଇଛି ଯେଉଁମାନଙ୍କୁ ଭୀମା-କୋରେଗାଁଓ ହିଂସାକାଣ୍ଡରେ ପୁଲିସ ଗିରଫ କରିଥିଲା। ଏହି ପାଞ୍ଚଜଣ ହେଲେ ସୁରେନ୍ଦ୍ର ଗାଡ୍ଲିଂ, ସୁଧୀର ଧାୱାଲେ, ରୋନା ୱିଲସନ୍‌, ଶୋମା ସେନ୍‌ ଓ ମହେଶ ରାଉତ।

ଏହି ଚିଠିରେ ଉଲ୍ଲେଖ ଅଛି କି, ମୋଦିଙ୍କ ନେତୃତ୍ୱାଧୀନ ହିନ୍ଦୁବାଦୀ ସରକାର ଆଦିବାସୀଙ୍କ ଜୀବନରେ ହସ୍ତକ୍ଷେପ କରୁଛି। ବିହାର ଓ ପଶ୍ଚିମବଙ୍ଗ ବ୍ୟତୀତ ମୋଦି ଦେଶର ୧୫ରୁ ଅଧିକ ରାଜ୍ୟରେ ବିଜେପିକୁ ପ୍ରତିଷ୍ଠିତ କରିବାରେ ସଫଳ ହୋଇଛନ୍ତି। ଯଦି ଏହା ଜାରି ରହେ ତା’ହେଲେ ବହୁତ ଅସୁବିଧା ହେବ। ଏଥିସହିତ ଏଥିରେ ଆହୁରି ବି ଉଲ୍ଲେଖ ରହିଛି କି, କମ୍ରେଡ କିସାନ ଓ ଅନ୍ୟ କିଛି ବରିଷ୍ଠ କମ୍ରେଡ ମୋଦି ରାଜ୍‌କୁ ଶେଷ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ତାଙ୍କୁ ରାଜୀବ ଗାନ୍ଧିଙ୍କ ଭଳି ମାରିବାକୁ ଆମେ ଚିନ୍ତା କରୁଛୁ। ଆମେ ଏଥିରେ ବିଫଳ ବି ହୋଇପାରନ୍ତି। କିନ୍ତୁ ଆମେ ଭାବୁଛୁ ଏହାକୁ କାର୍ଯ୍ୟକାରୀ କରାଯାଇପାରେ। ମୋଦିଙ୍କ ରୋଡ୍‌ ସୋ ବେଳେ ଏହି ମାଓବାଦୀମାନେ ତାଙ୍କର ଏହି ଯୋଜନାକୁ କାର୍ଯ୍ୟାକାରୀ କରିବା ପାଇଁ ବ୍ଲୁ ପ୍ରିଣ୍ଟସ୍‌ ପ୍ରସ୍ତୁତ କରିଥିଲା ବୋଲି ପୁଲିସ ଏହି ଚିଠିରୁ ଜାଣିବାକୁ ପାଇଛି। ହିନ୍ଦୁ ରୁଢ଼ିବାଦୀଙ୍କୁ ଶେଷ କରିବା ମାଓବାଦୀଙ୍କ ଲକ୍ଷ୍ୟ ବୋଲି ଏହି ଚିଠିରେ ଲେଖାଅଛି।

ସୂଚନାଯୋଗ୍ୟ, ୧୯୯୧ ମସିହା ମଇ ୨୧ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ନିର୍ବାଚନ ରାଲିରେ ଯୋଗ ଦେବାକୁ ତାମିଲନାଡୁର ଶ୍ରୀପେରୁମ୍ବେଦୁରକୁ ଯାଇଥିବା ସମୟରେ ଏଲଟିଟିଇ ଆତଙ୍କବାଦୀ ମାନବ ବୋମା ଜରିଆରେ ବିସ୍ଫୋରଣ ଘଟାଇ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର