ଚାହୁଁ ଚାହୁଁ ମାଟିରେ ମିଶିଗଲା ୪ଟି ବିଶାଳ କୋଠା, ଆଜି ସରିଲା ଭଙ୍ଗା କାର୍ଯ୍ୟ

କୋଚି: କିଛି ସେକେଣ୍ଡ ଭିତରେ ମାଟିରେ ମିଶିଲା ମାରାଡୁ ଫ୍ଲାଟସ । କେରଳର କୋଚିରେ ଗ୍ରୀନ ଜୋନର ଆଇନକୁ ଅଣଦେଖା କରି ନିର୍ମାଣ ହୋଇଥିଲା ଆକାଶଛୁଆଁ ୪ଟି ବିଶାଳ ଟାୱାର । ଯେଉଁଥିରେ ବହୁତଳ କୋଠା ନିର୍ମାଣ ହୋଇଥିଲା । ତେବେ ଦ୍ୱିତୀୟ ଦିନ ପାଇଁ କୋଚି ପ୍ରଶାସନ କୋଠା ଭଂଗା କାମ ଜାରି ରଖି ଆଜି ମାରାଡୁ ଫ୍ଲାଟସର ତୃତୀୟ ଓ ଚତୁର୍ଥ ବିଶାଳ କୋଠାକୁ ମାଟିରେ ମିଶାଇ ଦେଇଛି ପ୍ରଶାସନ । ଚାହୁଁ ଚାହୁଁ ବିସ୍ଫୋରଣରେ କ୍ଷଣକରେ ମାଟିରେ ମିଶିଯାଇଛି ପୁରା ଅଟ୍ଟାଳିକା ।

କେରଳର କୋଚି ଠାରେ ଗ୍ରୀନ ଜୋନ୍ ଭିତରେ ବେଆଇନ୍ ଭାବେ ନିର୍ମାଣ ହୋଇଥିଲା ୪ଟି ବିଶାଳକାୟ ବହୁତଳ କୋଠା । ୪ ଟି ଆପାଟମେଂଟରୁ ୨ଟିକୁ ଗତକାଲି ‘କଂଟ୍ରୋଲଡ଼ ଇମ୍ପେ୍ଲାସନ’ ବା ବିସ୍ଫୋରକ ମାଧ୍ୟମରେ ଭାଙ୍ଗି ଦିଆଯାଇଥିଲା । ଆଜି ବାକି ୨ଟି କୋଠାକୁ ଭଙ୍ଗାଯାଇଛି । ଏଠାରେ ସୂଚନା ଥାଉ କି ଶନିବାର ସକାଳେ କେରଳର କୋଚିରେ ଦୁଇଟି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ୍‌ କମ୍ପ୍ଲେକ୍ସ ମାଟିରେ ମିଶିଯାଇଥିବାବେଳେ ଆଜି ୧୭ ମହଲା ବିଶିଷ୍ଟ ଅନ୍ୟ ଦୁଇଟି କୋଠା ‌ଜୈନ କୋରାଲ କେଭ୍‌ ଏବଂ ଗୋଲ୍ଡେନ୍‌ କୟାଲୋରାମ୍‌ ରବିବାର ଧ୍ବସ୍ତ କରାଯାଇଛି ।

Photo-ANI

ଉପକୂଳ ସହର ମାରାଡ଼ୁରେ ଥିବା ଏହି ୪ଟି ଆପାର୍ଟମେଣ୍ଟ୍‌ କ‌ମ୍ପ୍ଲେକ୍ସରେ ୩୫୦ରୁ ଅଧିକ ଫ୍ଲାଟ୍‌ ଥିଲା। ପ୍ରାୟ ୨୪୦ ପରିବାର ଏଠାରେ ରହୁଥିଲେ। ସୁପ୍ରିମକୋର୍ଟ ଗତ ବର୍ଷ ସେପ୍ଟେମ୍ବରରେ ଦେଇଥିବା ନିର୍ଦ୍ଦେଶ ଆଧାରରେ ଏହି ଆପାର୍ଟମେଣ୍ଟ୍‌ ଗୁଡ଼ିକୁ ଭଙ୍ଗା ଯାଉଛି। ଏହି ଆପାର୍ଟମେଣ୍ଟ ସିଜେଡ୍‌ଆର (କୋଷ୍ଟାଲ୍‌ ଜୋନ୍‌ ରେଗୁଲେସନ୍‌) ନୀତିର ଉଲ୍ଲଂଘନ କରୁଥିବାରୁ ଏହାକୁ ଭାଙ୍ଗିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ଏଥିପାଇଁ ୧୩୮ ଦିନ ସମୟ ଦେଇଥିଲେ। ଯେଉଁମାନେ ଘର ହରାଇଛନ୍ତି ସେମାନଙ୍କ ପାଇଁ କୋର୍ଟ ୨୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଥିଲେ। ମିଳିଥିବା ସୂଚନାନୁଯାୟୀ ‌ଏଚ୍‌ ୨୦ ହୋଲି ଫେଥ୍‌ କମ୍ପ୍ଲେକ୍ସକୁ ୨୧୨.୪ କେଜି ବିସ୍ଫୋରକ ଲଗାଇ ଧ୍ବଂସ କରାଯାଇଛି। ଆପାର୍ଟମେଣ୍ଟ୍‌ ଧ୍ବଂସ କରିବାପାଇଁ ଦକ୍ଷିଣ ଆଫ୍ରିକାର ଜେଟ୍‌ ଡିମୋଲିସନ୍‌ କମ୍ପାନି ନିୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର