ନୂଆଦିଲ୍ଲୀ: ଅନଶନ ଶେଷ କଲେ ମନୋଜ ଜରାଙ୍ଗେ। ଗୁରୁବାର ଦିନ ମରାଠା କୋଟା ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ କରିବାକୁ ନିଷ୍ପତ୍ତି ନେଇଥିବା କାର୍ଯ୍ୟକର୍ତ୍ତା ମନୋଜ ଜରାଙ୍ଗେ ଅନଶନ ଭାଙ୍ଗିବାକୁ ରାଜି ହୋଇଛନ୍ତି। ଅବସରପ୍ରାପ୍ତ ହାଇକୋର୍ଟର ବିଚାରପତି ସନ୍ଦୀପ ସିନ୍ଦେ, ଏମ ଜି ଗାଇକୱାଡ ଏବଂ ଅନ୍ୟ ସରକାରୀ ପ୍ରତିନିଧୀମାନେ ଜରାଙ୍ଗେଙ୍କୁ ଭେଟିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି।
ଓବିସି ଶ୍ରେଣୀ ଅଧୀନରେ ଶିକ୍ଷା ଏବଂ ସରକାରୀ ଚାକିରି କ୍ଷେତ୍ରରେ ମରାଠା କୋଟା ନଆସିବା ପର୍ଯ୍ୟନ୍ତ ନିଯୁକ୍ତି ନକରିବାକୁ ସରକାରଙ୍କୁ ନିବେଦନ କରି ଅନଶନ କରିଥିଲେ ଜରାଙ୍ଗେ। ଗୁରୁବାର ଦିନ ସରକାରୀ ପ୍ରତିନିଧୀଙ୍କ ସହ ଆଲୋଚନା ବେଳେ ଜରାଙ୍ଗେ ମହାରାଷ୍ଟ୍ରରେ ମରାଠାଙ୍କ ପାଇଁ ସଂରକ୍ଷଣ ଦାବି କରିଥିଲେ। ଅବସରପ୍ରାପ୍ତ ବିଚାରପତିଙ୍କ ସହ ଆଲୋଚନା ଗଣମାଧ୍ୟମ ସମ୍ମୁଖରେ ହୋଇଥିଲା। ଏହି ସମୟରେ ମରାଠା ସମ୍ପ୍ରଦାୟର ଆର୍ଥିକ ତଥା ସାମାଜିକ ପଛୁଆବର୍ଗର ସର୍ଭେ ପାଇଁ ମହାରାଷ୍ଟ୍ର ସରକାର ଦଳ ନିୟୋଜିତ କରିବା ଉଚିତ ବୋଲି ଜରାଙ୍ଗେ ଦାବି କରିଥିଲେ। ଏହା ସହ ସେ କହିଥିଲେ, ଆମକୁ ପୂର୍ଣ୍ଣ ପ୍ରମାଣ ସଂରକ୍ଷଣ ଆବଶ୍ୟକ। ମୋତେ କଥା ଦିଅନ୍ତୁ। ଯଦି ଆପଣ ଆପଣଙ୍କ ପ୍ରତିଶ୍ରୁତି ଭଙ୍ଗ କରିବେ, ତେବେ ମୁଁ ସରକାରଙ୍କୁ ଗୋଟିଏ ମିନିଟ୍ ମଧ୍ୟ ଦେବି ନାହିଁ। ”
ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ମରାଠାମାନେ ଶିକ୍ଷା ଏବଂ ଚାକିରିରେ ସଂରକ୍ଷଣ ଦାବି କରିଆସୁଛନ୍ତି। କୋଟା କାର୍ଯ୍ୟକର୍ତ୍ତା ମନୋଜ ଜରାଙ୍ଗେ ପାଟିଲ ଏହି ଦାବି ପୂରଣ ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ କରିବେ ବୋଲି ଘୋଷଣା କରିବା ପରେ ଏହି ଆନ୍ଦୋଳନକୁ ଶକ୍ତି ମିଳିଥିଲା। ହେଲେ ଏବେ ସେ ଅନଶନ ଶେଷ କରିଛନ୍ତି।