ବିଭିନ୍ନ ସ୍କିମ୍‌ ସହ ଆଧାର ସଂଯୋଗ ଶେଷ ତାରିଖ ମାର୍ଚ ୩୧କୁ ଘୁଞ୍ଚିଲା; କିନ୍ତୁ ସମସ୍ତଙ୍କ ପାଇଁ ନୁହେଁ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ମାର୍ଚ ୩୧ ଯାଏଁ ବିଭିନ୍ନ ସ୍କିମ୍‌ ସହ ଆଧାର ସଂଯୋଗର ଶେଷ ତାରିଖ ବଢ଼ାଇବାକୁ ଇଚ୍ଛୁକ ବୋଲି ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟଙ୍କୁ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ବିଭିନ୍ନ ସେବା ଏବଂ ଜନମଙ୍ଗଳକାରୀ ଯୋଜନା ପାଇବା ନିମନ୍ତେ କେନ୍ଦ୍ର ସରକାର ଆଧାର ନମ୍ବର ସଂଯୋଗକୁ ବାଧ୍ୟତାମୂଳକ କରିଛନ୍ତି।

କିନ୍ତୁ, ଯେଉଁମାନଙ୍କର ଏଯାବତ୍‌ ଆଧାର କାର୍ଡ ନାହିଁ, ସେମାନେ କେବଳ ଏହି ବର୍ଦ୍ଧିତ ତାରିଖର ସୁବିଧା ପାଇ ପାରିବେ।

Image Courtesy of The Indian Express

ଆଧାର କାର୍ଡ ସଂଯୋଗକୁ ବାଧ୍ୟତାମୂଳକ କରିଥିବା କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଜାରି କରାଇବା ପାଇଁ ସୁପ୍ରିମ୍‌ କୋର୍ଟଙ୍କୁ ଅନେକେ ଆବେଦନ କରିଥିଲେ। ଆସନ୍ତା ସପ୍ତାହରେଏହାର ଶୁଣାଣି କରାଇବାକୁ ସୁପ୍ରିମ୍‌ କୋର୍ଟ ପାଞ୍ଚଜଣିଆ ବିଚାରପତି ସମ୍ବଳିତ ଏକ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରୁଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କୁ ଆଟର୍ଣ୍ଣି ଜେନେରାଲ୍‌ କେ କେ ବେଣୁଗୋପାଳ ସୂଚନା ଦେଇଛନ୍ତି କି ବିଭିନ୍ନ ଯୋଜନାରେ ଆଧାର ସଂଯୋଗର ଶେଷ ତାରିଖ ଡିସେମ୍ବର ୩୧ ପରିବର୍ତ୍ତେ ଆସନ୍ତା ବର୍ଷ ମାର୍ଚ ୩୧ ତାରିଖ ଯାଏଁ ବଢ଼ାଇବାକୁ ସରକାର ଇଚ୍ଛୁକ।

ନିରବଚ୍ଛିନ୍ନ ମୋବାଇଲ୍‌ ସେବା ପାଇବା ପାଇଁ ଆସନ୍ତା ବର୍ଷ ଫେବ୍ରୁଆରି ୬ ତାରିଖ ସୁଦ୍ଧା ଆଧାର ସଂଯୋଗ ଶେଷ ତାରିଖ ବୋଲି ଆଟର୍ଣ୍ଣିଜେନେରାଲ୍‌ ସ୍ପଷ୍ଟ କରି ଦେଇଛନ୍ତି। ଏହାକୁ ସୁପ୍ରିମ୍‌ କୋର୍ଟ ମଧ୍ୟ ବାଧ୍ୟତାମୂଳକ କରିଛନ୍ତି।

Image Courtesy of Firstpost

ଆଧାର ଯୋଜନାକୁ ବିରୋଧ କରୁଥିବା ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଡ୍‌ଭୋକେଟ୍‌ ଶ୍ୟାମ ଦିବାନ ଜଷ୍ଟିସ୍‌ ଏଏମ୍‌ ଖାନଓ୍ଵିଲ୍‌କର୍‌ ଏବଂ ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କୁ ଜଣାଇଛନ୍ତି ଯେ ଯେଉଁମାନେ ବିଭିନ୍ନ ସେବାରେ ଆଧାର ସଂଯୋଗ କରିବାକୁ ଅସମର୍ଥ ହେବେ ସେମାନଙ୍କ ପ୍ରତି କୌଣସି କଟକଣାମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସରକାର ଲିଖିତ ଆକାରରେ ଦେବା ଉଚିତ।

ଆଧାର ସ୍କିମ୍‌ ବିରୋଧରେ ଆସିଥିବା ଗୁଡ଼ାଏ ପିଟିସନ୍‌ର ଶୁଣାଣି ନଭେମ୍ବର ଶେଷ ସପ୍ତାହରେ ଆରମ୍ଭ କରିବାକୁ ଗୋଟିଏ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରୁଥିବା କଥା ସର୍ବୋଚ୍ଚ ନ୍ୟାୟାଳୟ ଅକ୍ଟୋବର ୩୦ ତାରିଖ ଦିନ କହିଥିଲେ।

ସମ୍ବିଧାନ ଅନୁସାରେ ଗୋପନୀୟତା ଅଧିକାର ଏକ ମୌଳିକ ଅଧିକାର ବୋଲି ନିକଟ ଅତୀତରେ ଏକ ନଅଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଘୋଷଣା କରିଥିଲେ।

ଯେଉଁମାନଙ୍କର ଆଧାର କାର୍ଡ ନାହିଁ ସେମାନଙ୍କ ନିମନ୍ତେ ଆଧାର ସଂଯୋଗର ଶେଷ ତାରିଖ ୩୧ ମାର୍ଚ ୨୦୧୮ ଯାଏଁ ଘୁଞ୍ଚାଇ ଦେବାକୁ ଇଚ୍ଛୁକ ବୋଲି ଅକ୍ଟୋବର ୨୫ ତାରିଖ ଦିନ କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟକୁ ଜଣାଇଥିଲେ।


Image Courtesy of Hindustan Times

ଯେଉଁମାନଙ୍କର ଆଧାର କାର୍ଡ ନାହିଁ ଏବଂ ଆଧାର ଏନ୍‌ରୋଲ୍‌ କରାଇବାକୁ ଚାହୁଁଛନ୍ତି ସେମାନଙ୍କ ପ୍ରତି କୌଣସି କ୍ଷତିକାରକ ପଦକ୍ଷେପ ନିଆଯିବ ନାହିଁ ବୋଲି ଆଟର୍ଣ୍ଣି ଜେନେରାଲ୍‌ ଅଦାଲତଙ୍କୁ କହିଥିଲେ।

ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଏବଂ ମୋବାଇଲ୍‌ ଫୋନ୍‌ରେ ଆଧାର ସଂଯୋଗ କରାଇବାକୁ ବେଆଇନ୍‌ ଏବଂ ଅସାମ୍ବିଧାନିକ ବୋଲି କେତେକ ପିଟିସନର୍‌ ସୁପ୍ରିମ୍‌ କୋର୍ଟଙ୍କୁ ଜଣାଇଥିଲେ।

ପରୀକ୍ଷା ଦେଉଥିବା ପିଲାଙ୍କ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ବୋଲି ସିବିଏସ୍‌ଇର ପଦକ୍ଷେପକୁ ସରକାର ଅଗ୍ରାହ୍ୟ କରିଦେଇଥିବା କଥା ଅଭିଯୋଗକାରୀମାନେ ଅଦାଲତଙ୍କୁ ଜଣାଇଥିଲେ।

ସମ୍ବନ୍ଧିତ ଖବର