ମାର୍ଗାରେଟ୍‌ ଆଲ୍‌ଭା ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ

ଜଗଦୀପ ଧନଖଡ଼ଙ୍କ ସହ ପ୍ରତିଦ୍ବନ୍ଦ୍ବିତା

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ପଦ ପାଇଁ ବିରୋଧୀ ଦଳମାନଙ୍କ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ୍‌ ଆଲ୍‌ଭାଙ୍କୁ ଆଜି ପ୍ରାର୍ଥୀ ଘୋଷଣା କରାଯାଇଛି। ବିରୋଧୀ ଦଳ ନେତାମାନଙ୍କ ସହ ବିଚାରବିମର୍ଶ ପରେ ଏନ୍‌ସିପି ମୁଖ୍ୟ ଶରଦ ପାୱାର ରବିବାର ଦିନ ଆଲ୍‌ଭାଙ୍କ ନାମ ଘୋଷଣା କରିଛନ୍ତି। ଗତକାଲି ଏନ୍‌ଡିଏ ପକ୍ଷରୁ ପଶ୍ଚିମବଂଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ଆଲ୍‌ଭାଙ୍କ ନାମ ଘୋଷଣା କରି ପାୱାର କହିଛନ୍ତି ଯେ ୧୭ଟି ବିରୋଧୀ ଦଳର ଅନୁମୋଦନକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ଆଲ୍‌ଭା ମଙ୍ଗଳବାର ଦିନ ନାମାଙ୍କନପତ୍ର ଦାଖଲ କରିବେ।

ଆଲ୍‌ଭାଙ୍କ ନାମ ଘୋଷଣା ପୂର୍ବରୁ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଯୋଗାଯୋଗ କରିବାକୁ ପାୱାର ଏବଂ ବିରୋଧୀ ଦଳର ଅନ୍ୟ କେତେକ ନେତା ପ୍ରୟାସ କରିଥିଲେ। ତେବେ ମମତା ବ୍ୟସ୍ତ ଥିବାରୁ ଯୋଗାଯୋଗ ହୋଇପାରି ନଥିଲା ବୋଲି ପାୱାର କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହିତ ମଧ୍ୟ ଯୋଗାଯୋଗ ହୋଇପାରି ନଥିବା ଜଣାପଡ଼ିଛି । ତେବେ କେଜ୍ରିୱାଲ ପୂର୍ବରୁ ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ ଘୋଷଣା କରିଥିବାରୁ ଖୁବ୍‌ଶୀଘ୍ର ଆଲ୍‌ଭାଙ୍କ ପାଇଁ ମଧ୍ୟ ସମର୍ଥନ ଘୋଷଣା କରିବେ ବୋଲି ପାୱାର ଆଶା ପ୍ରକଟ କରିଛନ୍ତି।

ମାର୍ଗାରେଟ୍‌ ଆଲ୍‌ଭା ୧୯୭୪ରେ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ଲଗାତାର ରାଜ୍ୟସଭା ସଦସ୍ୟ ରହିଥିଲେ ଏବଂ ୧୯୯୯ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ରହିଥିଲେ। ଏହା ସହିତ ଆଲ୍‌ଭା ରାଜସ୍ଥାନ ଏବଂ ଗୋଆର ରାଜ୍ୟପାଳ ମଧ୍ୟ ଥିଲେ। କର୍ଣ୍ଣାଟକ ବାସିନ୍ଦା ମାର୍ଗାରେଟ୍‌ ଆଲ୍‌ଭା ୫ ଥର ସାଂସଦ ନିର୍ବାଚିତ ହେବା ସହିତ ରାଜୀବ ଗାନ୍ଧି ଏବଂ ନରସିଂହ ରାଓ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ। ମାର୍ଗାରେଟ୍‌ ଆଲ୍‌ଭା ୧୪ ଏପ୍ରିଲ ୧୯୪୨ରେ କର୍ଣ୍ଣାଟକର ମାଙ୍ଗାଲୋରରେ ଜନ୍ମ ଗ୍ରହଣ କରିଥିଲେ। ସେ ୧୯୬୯ରେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ କଂଗ୍ରେସର ବିଭିନ୍ନ ସାଂଗଠନିକ ପଦବିରେ ରହିଥିଲେ। ୨୦୦୮ରେ ଆଲ୍‌ଭା କଂଗ୍ରେସ ହାଇକମାଣ୍ଡଙ୍କ ବିରୋଧରେ ଟିକେଟ ବିକ୍ରି କରୁଥିବା ଅଭିଯୋଗ ଆଣିଥିଲେ। ସେହି ସମୟରେ ସେ ମହାରାଷ୍ଟ୍ର, ମିଜୋରାମ ଏବଂ ପଂଜାବ-ହରିୟାଣାର ପ୍ରଭାରୀ ଥିଲେ। ହାଇକମାଣ୍ଡଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥବାରୁ ଆଲ୍‌ଭାଙ୍କୁ କଂଗ୍ରେସ ସାଧାରଣ ସଂପାଦକ ପଦରୁ ହଟାଇ ଦିଆଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ହାଇକମାଣ୍ଡଙ୍କ ସହ ସଂପର୍କ ସୁଧୁରିବା ପରେ ତାଙ୍କୁ ଉତ୍ତରାଖଣ୍ଡ ରାଜ୍ୟପାଳ କରାଯାଇଥିଲା।
ବର୍ତ୍ତମାନର ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡ଼ୁଙ୍କ କାର୍ଯ୍ୟକାଳ ୧୦ ଅଗଷ୍ଟରେ ଶେଷ ହେବ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପୂର୍ବରୁ ଜାରି ହୋଇସାରିଛି ଏବଂ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ୧୯ ଜୁଲାଇ ରହିଛି । ଅଗଷ୍ଟ ୬ରେ ନିର୍ବାଚନ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର