ମାର୍ଗାରେଟ ଆଲଭାଙ୍କ ବାବଦରେ ଜାଣିଛନ୍ତି କି ଏସବୁ କଥା

ନୂଆଦିଲ୍ଲୀ: ବିରୋଧୀ ଦଳ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ ଆଲଭାଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ତାଙ୍କ ନାମ ଘୋଷଣା କରି ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ କଂଗ୍ରେସ ନେତ୍ରୀ ମାର୍ଗାରେଟ ଆଲଭା ବିରୋଧୀ ଦଳର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ହେବେ। ଏହି ସର୍ବସମ୍ମତ ନିଷ୍ପତ୍ତିରେ ୧୭ଟି ଦଳ ରାଜି ହୋଇଛନ୍ତି | ମାର୍ଗାରେଟ ଆଲଭା ମଙ୍ଗଳବାର ଦିନ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ। ୮୦ ବର୍ଷୀୟ ମାର୍ଗାରେଟ ଆଲଭା ଜଣେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତ୍ରୀ ହୋଇଥିବାବେଳେ ସେ ରାଜସ୍ଥାନ, ଗୋଆ, ଗୁଜୁରାଟ ଏବଂ ଉତ୍ତରାଖଣ୍ଡର ରାଜ୍ୟପାଳ ରହିଆସିଛନ୍ତି। ସେ ଉତ୍ତରାଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ହୋଇଥିଲେ। ସେ ରାଜ୍ୟସଭାର ସଦସ୍ୟ ଭାବରେ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ୧୯୭୪ ମସିହାରେ ମାର୍ଗାରେଟ ଆଲଭା କଂଗ୍ରେସ ପକ୍ଷରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

ସେ ତାଙ୍କର ଛଅ ବର୍ଷ କାର୍ଯ୍ୟକାଳ ଶେଷ କରିବା ପରେ ପୁଣି ୧୯୮୦, ୧୯୮୬ ଏବଂ ୧୯୯୨ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କୁ ୧୯୮୪ ମସିହାରେ ରାଜୀବ ଗାନ୍ଧୀଙ୍କ ସରକାରରେ ସଂସଦୀୟ ବ୍ୟାପାର କେନ୍ଦ୍ର ମନ୍ତ୍ରୀ କରାଯାଇଥିଲା। ପରେ ସେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ତାଙ୍କୁ ୧୯୯୧ରେ କର୍ମଚାରୀ, ପେନ୍ସନ୍, ଜନ ଅଭିଯୋଗ ଏବଂ ପ୍ରଶାସନିକ ସଂସ୍କାରର କେନ୍ଦ୍ର ମନ୍ତ୍ରୀ କରାଯାଇଥିଲା। ମାର୍ଗାରେଟ ଆଲଭା ୧୯୯୯ ରେ ଲୋକସଭା ସାଂସଦ ହୋଇଥିଲେ। ୧୯୯୯ ରୁ ୨୦୦୪ ପର୍ଯ୍ୟନ୍ତ ସେ ମହିଳା ସଶକ୍ତିକରଣ ସଂସଦୀୟ କମିଟିର ସଭାପତି ଥିଲେ।

୨୦୦୪ରେ ସେ ପୁଣିଥରେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ଏଥର ପରାସ୍ତ ହୋଇଥିଲେ। ୨୦୦୪ ରୁ ୨୦୦୯ ମଧ୍ୟରେ ସେ ଅଲ ଇଣ୍ଡିଆ କଂଗ୍ରେସ କମିଟିର ସାଧାରଣ ସମ୍ପାଦିକା ଭାବରେ କାର୍ଯ୍ୟ କରିଥିଲେ ଏବଂ ସଂସଦୀୟ ଅଧ୍ୟୟନ ଓ ତାଲିମ ବ୍ୟୁରୋର ପରାମର୍ଶଦାତା ଥିଲେ। ୬ ଅଗଷ୍ଟ ୨୦୦୯ ରେ, ମାର୍ଗାରେଟ ଆଲଭା ଉତ୍ତରାଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ହୋଇଥିଲେ | ସେ ମେ ୨୦୧୨ ପର୍ଯ୍ୟନ୍ତ ଏହି ପଦବୀରେ ରହିଆସିଥିଲେ ଏବଂ ପରେ ତାଙ୍କୁ ରାଜସ୍ଥାନର ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା। ମାର୍ଗେଟ୍ ଆଲଭା ୨୦୧୪ ପର୍ଯ୍ୟନ୍ତ ରାଜସ୍ଥାନର ରାଜ୍ୟପାଳ ଥିଲେ।

ସମ୍ବନ୍ଧିତ ଖବର