ବାରାଣସୀ: ସୋମବାର ଦିନ ମରିସସ୍‌ର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜୁଗନାଥ ଉତ୍ତର ପ୍ରଦେଶର ବାରାଣସୀସ୍ଥିତ କାଶୀ ବିଶ୍ବନାଥ ମନ୍ଦିର ଓ ଗଙ୍ଗକୂଳସ୍ଥିତ ଦଶାଶ୍ବମେଧ ଘାଟକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି।

Advertisment

ନୂଆଦିଲ୍ଲୀରେ ଆୟୋଜିତ ‘ଜି୨୦’ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ଜୁଗନାଥ ସ୍ତ୍ରୀ କୋବିତା ରମ୍ବାନୀଙ୍କୁ ସାଥିରେ ନେଇ ସୋମବାର ସକାଳେ ବାରାଣସୀରେ ପହଞ୍ଚିଥିଲେ। ସେମାନଙ୍କୁ ଭବ୍ୟ ସ୍ବାଗତ କରାଯିବା ପରେ ଦଶାଶ୍ବମେଧ ଘାଟକୁ ନିଆଯାଇଥିଲା। ସେଠାରେ ସେମାନେ ପୂଜାର୍ଚ୍ଚନା କରିଥିଲେ। ତା’ପରେ ଜୁଗନାଥ ଗଙ୍ଗାନଦୀରେ ତାଙ୍କ ଶ୍ବଶୁରଙ୍କ ଅସ୍ଥି (ଚିତାଭସ୍ମ) ବିସର୍ଜନ କରିଥିଲେ।

ଘାଟ ଓ ମନ୍ଦିରରେ ପୂଜାର୍ଚ୍ଚନା ବେଳେ ପ୍ରଧାନମନ୍ତ୍ରୀ ଜୁଗନାଥ କୁର୍ତ୍ତାପାଇଜାମା ଓ ତାଙ୍କ ସ୍ତ୍ରୀ ଶାଢ଼ି ପରିଧାନ କରିଥିଲେ।

publive-image Image Courtesy of ANI

ପୁଣି ସନ୍ଧ୍ୟା ବେଳକୁ ମରିସସ୍‌ର ପ୍ରଧାନମନ୍ତ୍ରୀ ଓ ତାଙ୍କ ସ୍ତ୍ରୀଙ୍କୁ କାଶୀ ବିଶ୍ବନାଥ ମନ୍ଦିରକୁ ନିଆଯାଇଥିଲା। ମନ୍ଦିର ଭିତରେ ସେମାନେ ବିଶେଷ ପୂଜା ଓ ଆରତି ସମ୍ପନ୍ନ କଲେ।

ମନ୍ଦିରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ କୁମାର ବର୍ମା ଓ ମନ୍ଦିର ଟ୍ରଷ୍ଟି ବ୍ରଜଭୂଷଣ ଓଝା ସେମାନଙ୍କୁ ପୁଷ୍ପମାଲ୍ୟ, ଉତ୍ତରୀ, ପ୍ରସାଦ ଓ ସ୍ମାରକୀ ପ୍ରଦାନ କରି ସ୍ବାଗତ କରିଥିଲେ।

ସୂଚନାଯୋଗ୍ୟ, ଏହା ହେଉଛି ଜୁଗନାଥଙ୍କ ତୃତୀୟ ବାରାଣସୀ ଗସ୍ତ। ୨୦୨୨ରେ ସେ ତାଙ୍କ ପିତା ତଥା ମରିସସ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ସାର୍‌ ଅନେରୁଦ ଜୁଗନାଥଙ୍କ ଅସ୍ଥି ବିସର୍ଜନ କରିବାକୁ ଆସିଥିଲେ। ଏହା ପୂର୍ବରୁ ୨୦୧୯ ଜାନୁଆରିରେ ସେ ‘ପଞ୍ଚଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ’ରେ ଯୋଗ ଦେବା ପାଇଁ ବାରାଣସୀ ଆସିଥିଲେ।