ଭାରତକୁ ମିଳିଲା ଆଉ ୨ଟି ପଦକ: ହାଇଜମ୍ପରେ ମାରିଆପ୍ପାନଙ୍କୁ ରୌପ୍ୟ ଓ ଶରଦଙ୍କୁ ବ୍ରୋଞ୍ଜ

ଟୋକିଓ: ଟୋକିଓ ପାରାଲିମ୍ପିକରେ ଚମତ୍କାର ପ୍ରଦର୍ଶନ କରିଚାଲିଛନ୍ତି ଭାରତୀୟ ଖେଳାଳି। ଭାରତକୁ ମିଳିଚାଲିଛି ‌ଗୋଟେ ପରେ ଗୋଟେ ପଦକ। ପୂର୍ବରୁ ପାରାଲିମ୍ପିକରେ ପଦକ ସଂଖ୍ୟା ୮ଥିବା ବେଳେ ଏବେ ଆଉ ଦୁଇଟି ପଦକ ସାମିଲ ହୋଇଛି। ପୁରୁଷ ଲମ୍ବ ଡିଆଁ (ହାଇଜମ୍ପ)ରେ ଖେଳାଳି ମାରିଆପ୍ପାନ ଥାଙ୍ଗାଭେଲୁଙ୍କୁ ରୌପ୍ୟ ପଦକ ମିଳିଥିବା ବେଳେ ଶରଦ କୁମାରଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ଏହି ଦୁଇଟି ପଦକକୁ ମିଶାଇ ଏବେ ଭାରତକୁ ଆସିଛି ୧୦ଟି ପଦକ।

ଅନ୍ୟପକ୍ଷରେ ଆମେରିକାର ବିଶ୍ୱ ରେକର୍ଡଧାରୀ ସାମ ଗ୍ରେୱେ ୧.୮୮ ମିଟର ଡେଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅଲିମ୍ପିକ୍ ଷ୍ଟାଡିୟମରେ ବର୍ଷା ହେତୁ ଖେଳ ପ୍ରଭାବିତ ହେବା ସତ୍ତ୍ୱେ ମାରିଆପ୍ପାନ ଥାଙ୍ଗାଭେଲୁ ଏବଂ ସାମ ଗ୍ରେୱେ ୧.୮୬ ମିଟର ମାର୍କ ଛୁଇଁବା ପରେ ପରେ ସ୍ୱର୍ଣ୍ଣ ପଦକ ପାଇଁ ପରସ୍ପରକୁ କଡ୍ଡା ଟକ୍କର ଦେଇଥିଲେ। ତିନିଟି ପ୍ରୟାସରେ ମାରିଆପ୍ପାନ ୧.୮୮ ମିଟର ଛୁଇଁବାରେ ବିଫଳ ହୋଇଥିବାବେଳେ ଗ୍ରେୱେ ତାଙ୍କର ଶେଷ ପ୍ରୟାସରେ ୧.୮୮ ମିଟର ଛୁଇଁବାରେ ସଫଳ ହୋଇଥିଲେ।

ସମ୍ବନ୍ଧିତ ଖବର