ଫେସବୁକ ଡାଟାଚୋରି ମାମଲା: ଭୁଲ୍ ହୋଇଯାଇଛି, ଆଗକୁ ଆଉ ହେବନାହିଁ : ଜୁକରବର୍ଗ

ଓ୍ଵାସିଂଟନ: ସୋସିଆଲ ନେଟଓ୍ଵାର୍କିଂ ସାଇଟ୍‌ ଫେସବୁକ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍କ ଜୁକରବର୍ଗ ଗତ କାଲି ଆମେରିକାର ସିନେଟରେ ଉପସ୍ଥିତ ରହି ଫେସବୁକ ବ୍ୟବହାରକାରୀଙ୍କ ତଥ୍ୟର ଦୁରୁପଯୋଗ କରିଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି । ଏହା ସହିତ ଆଗାମୀ ଦିନରେ ଆମେରିକା, ଭାରତ, ବ୍ରାଜିଲ ବା ଅନ୍ୟ କୌଣସି ଦେଶରେ ଅବାଧ ଓ ମୁକ୍ତ ନିର୍ବାଚନକୁ ପ୍ରଭାବିତ କରିବାକୁ କୌଣସି କାର୍ଯ୍ୟ କରାଯିବ ନାହିଁ ବୋଲି ସେ ପ୍ରତିଶୃତି ଦେଇଛନ୍ତି ।


ଯୁକ୍ତରାଷ୍ଟ୍ର ଆମେରିକା ସିନେଟର ଆଇନ କମିଟି ଓ ବାଣିଜ୍ୟ କମିଟି ଆଗରେ ହାଜର ହୋଇ ସେ ନିଜର ବୟାନ ଦେଇଛନ୍ତି । ସିନେଟରେ ତାଙ୍କୁ ପ୍ରାୟ ୫ ଘଣ୍ଟା ଧରି ଜେରା କରାଯାଇଥିଲା । ଏହି ଅବସରରେ ସେ ନିଜର ଭୁଲ ପାଇଁ କ୍ଷମାପ୍ରାର୍ଥନା କରିବା ସହ ଏଭଳି ଭୁଲ ଆଗକୁ ଯେପରି ନହୁଏ ତାହା ନିଶ୍ଚିତ କରାଯିବ ବୋଲି କହିଛନ୍ତି । ମୁଁ ଏହି କମ୍ପାନିକୁ ଚଳାଉଛି ଏଣୁ ସବୁ ଦାୟିତ୍ୱ ମୋର ବୋଲି ସେ କହିଛନ୍ତି ।
ସିନେଟ କମିଟି ତରଫରୁ ଜୁକରବର୍ଗଙ୍କୁ ବିଭିନ୍ନ ବିଷୟରୁ ପ୍ରଶ୍ନ ପଚରା ଯାଇଥିଲା । କେମ୍ରିଜ ଆନାଲିଟିକା ଦ୍ୱାରା ଲୋକମାନଙ୍କ ତଥ୍ୟର ବ୍ୟବହାର, ଆମେରିକା ନିର୍ବାଚନରେ ଋଷିଆର ହସ୍ତକ୍ଷେପ ଇତ୍ୟାଦି । ଏ କ୍ଷେତ୍ରରେ କେତେକ ଭୁଲ ହୋଇଥିବା ସେ ସ୍ୱୀକାର କରିଛନ୍ତି । ଆଗକୁ ବିଭିନ୍ନ ଦେଶଯଥା ଆମେରିକା, ଭାରତ, ବ୍ରାଜିଲ, ପାକିସ୍ତାନ, ହଙ୍ଗେରୀ ଆଦିରେ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ରହିଛି । ଏସବୁ ନିର୍ବାଚନଗୁଡ଼ିକୁ ସ୍ୱଚ୍ଛ ଓ ନିରପେକ୍ଷ କରିବାକୁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର