ରାତି ୨ଟାରେ ଅଜିତ ଡୋଭାଲ ପହଞ୍ଚିବାରୁ ମସଜିଦ୍ ଖାଲି କରିବାକୁ ରାଜି ହେଲେ ମୌଲାନା ସାଦ୍

ନୂଆଦିଲ୍ଲୀ: ଜାତୀୟ ପ୍ରତିରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ପହଞ୍ଚିବା ପରେ ନିଜାମୁଦ୍ଦିନ ମର୍କଜର ମୁଖ୍ୟ ମୌଲାନା ସାଦ୍ ବାଙ୍ଗଲେୱାଲି ମସଜିଦ ଖାଲି କରିବାକୁ ରାଜି ହୋଇଥିଲେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି । ଦିଲ୍ଲୀସ୍ଥିତ ଏହି ମସଜିଦ୍ ଖାଲି କରିବାକୁ ଦିଲ୍ଲୀ ପୁଲିସ ଓ ଅନ୍ୟ ନିରାପତ୍ତା ଏଜେନସିମାନେ ଥରକୁ ଥର ଅନୁରୋଧ କରିବା ସତ୍ତ୍ୱେ ମୌଲାନା ସାଦ ମସଜିଦ୍ ଖାଲି କରି ନ ଥିଲେ । ତେଣୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅଜିତ ଡୋଭାଲଙ୍କୁ ତାଙ୍କ ନିକଟକୁ ପଠାଇଥିଲେ ।

ମାର୍ଚ ୨୮-୨୯ ତାରିଖ ରାତି ପ୍ରାୟ ୨ଟା ବେଳେ ଅଜିତ ଡୋଭାଲ୍ ନିଜାମୁଦ୍ଦୀନ ମର୍କଜରେ ପହଞ୍ଚି ମୌଲାନା ସାଦଙ୍କୁ ଭେଟିଥିଲେ । ମସଜିଦ ପ୍ରକୋଷ୍ଠରେ ଥିବା ଲୋକମାନଙ୍କର କରୋନାଭାଇରସ୍ ସଂକ୍ରମଣ ପରୀକ୍ଷା କରାଇ ସେମାନଙ୍କୁ କ୍ୱାରେଣ୍ଟିନରେ ରଖିବାକୁ ସେ ମୌଲାନା ସାଦଙ୍କୁ ରାଜି କରାଇଥିଲେ ।

Image Source: Zee News

ମାର୍ଚ ୧୮ ତାରିଖ ଦିନ ନିଜାମୁଦ୍ଦିନ ମର୍କଜରେ ଧାର୍ମିକ ସମାରୋହ ଆୟୋଜିତ ହୋଇଥିଲା । ସେଥିରେ ଯୋଗ ଦେଇଥିବା ୯ଜଣ ଇଣ୍ଡୋନେସିଆ ନାଗରିକ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇଥିବା କଥା ତେଲେଙ୍ଗାନା ଅନ୍ତର୍ଗତ କରିମନଗରରେ ଜଣାପଡ଼ିଥିଲା । ଏହାପରେ ମସଜିଦ ଖାଲି କରାଇବାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ତତ୍ପରତା ପ୍ରକାଶ କରିଥିଲା ।

ଏ ସଂକ୍ରାନ୍ତରେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ଦିସୋଦିଆ ବୁଧବାର ଦିନ କହିଛନ୍ତି ଯେ ତାବ୍ଲିଘି ଜମାତର ମର୍କଜକୁ ଖାଲି କରାଯାଇଛି । ୩୬ ଘଣ୍ଟାରେ ସେଠାରୁ ୨, ୩୬୧ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ୬୧୭ଜଣଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ବାକି ଲୋକଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି ।

ସମ୍ବନ୍ଧିତ ଖବର