ବୁଲେଟ ପାଇଁ ଅଧାରେ ଭାଙ୍ଗିଲା ବାହାଘର

ଭୋପାଳ: ବୁଲେଟ ପାଇଁ ଭାଙ୍ଗିଗଲା ବାହାଘର | ଆଉ କନ୍ୟାକୁ ନ ନେଇ ବରପକ୍ଷ ଫେରିଯାଇଛନ୍ତି | ମଧ୍ୟପ୍ରଦେଶର ଗୁନାରେ ଏଭଳି ଏକ ଘଟଣା ଘଟିଛି | କନ୍ୟାଘର ପକ୍ଷରୁ ଅଭିଯୋଗ ହୋଇଛି ଯେ ନିକାହ ପଢ଼ାଯିବା ପରେ ମଧ୍ୟ ପୁଅଘର ପକ୍ଷରୁ କନ୍ୟାକୁ ନ ନେଇ ଚାଲିଯାଇଥିଲେ | ପୁଅଘର ପକ୍ଷରୁ ଯୌତୁକ ଦାବି କରାଯାଇଥିଲା | ସେମାନେ ବୁଲେଟ୍ ଗାଡି ସହ ଟଙ୍କା ମାଗିବା ଆରମ୍ଭ କଲେ | ଝିଅର ବାପା କହିଛନ୍ତି ଯେ ଶେଷ ମୁହୂର୍ତ୍ତରେ ସେ କେଉଁଠାରୁ ଟଙ୍କା ଓ ବୁଲେଟ ଆଣିବେ ବୋଲି ପ୍ରଶ୍ନ କରିଥିଲେ | ଏକଥା ଶୁଣି ବରପକ୍ଷ ସେମାନଙ୍କ ଉପରେ ଆକ୍ରମଣ ମଧ୍ୟ କରିଥିଲେ | ଏବାବଦରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା | ଆଉ ପୁଲିସକୁ ଦେଖି ବରପକ୍ଷ ଖସି ପଳାଇଥିଲେ |

ମିଳିଥିବା ସୂଚନା ମୁତାବକ ମଧ୍ୟପ୍ରଦେଶର ରାଘରଗଡର ଜଣେ ଯୁବତୀଙ୍କ ସହ ଉମର ରାଇନ ନାମକ ଯୁବକଙ୍କର ବିବାହ ସ୍ଥିର ହୋଇଥିଲା। ଉମର କର୍ଣ୍ଣେଲଗଞ୍ଜର ବାସିନ୍ଦା | ସୂଚନା ଅନୁଯାୟୀ, ଉଭୟଙ୍କର ପ୍ରାୟ ୩ ମାସ ପୂର୍ବରୁ ନିର୍ବନ୍ଧ ହୋଇଥିଲା। ତେବେ ବିବାହ ସମୟରେ ପୁଅର ବାପା ଓ ମା ଯୌତୁକ ଦାବିରେ ଜିଦ୍ ଧରିଥିଲେ। ପୁଅର ପରିବାର ସଦସ୍ୟମାନେ ବୁଲେଟ୍, ସୁନା ଓ ରୂପା ଅଳଙ୍କାର ମାଗିବା ଆରମ୍ଭ କରିଥିଲେ | ଝିଅର ବାପା ନିଜର ଅକ୍ଷମତା ପ୍ରକାଶ କରିବା ପରେ ବର କହିଥିଲା ଯେ କହିଥିବା ଟଙ୍କା ଦେବାକୁ ପଡିବ। ନଚେତ୍ ଆମେ ଝିଅକୁ ନେବୁ ନାହିଁ |

ଏହାପରେ ଯେତେବେଳେ ବିବାଦ ବଢିଥିଲା, ବରପକ୍ଷ କନ୍ୟାର ଭାଇଙ୍କ ଉପରେ ଆକ୍ରମଣ କରିବା ସହ ତାଙ୍କ ଗାଡି ଭାଙ୍ଗିଦେଇଥିଲେ | ଏବାବଦରେ ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ବରପକ୍ଷ ଚିତପଟାଙ୍ଗ ମାରିଥିଲେ | ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର