ଏହି କାରଣରୁ ରକେଟ ସ୍ପିଡରେ ମନ୍ତ୍ର ପଢିଲେ ପୁରୋହିତ, ୨୫ ମିନିଟରେ ସରିଲା ବିବାହ

ଗୋରଖପୁର: ବରଙ୍କୁ ନେଇ ବରଯାତ୍ରୀ ଧୂମଧାମରେ କନ୍ୟା ଘରେ ପହଞ୍ଚିଥିଲେ | ତେବେ ସେଠାରେ ପହଞ୍ଚି ବରଯାତ୍ରୀ ଏମିତି କିଛି ଖାଇଲେ ଯେ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଲେ | ଆଉ ଶେଷରେ ପୁଲିସ ଉପସ୍ଥିତିରେ ମାତ୍ର ୨୫ ମିନିଟରେ ସମ୍ପନ୍ନ ହେଲା ବିବାହ | କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | ଉତ୍ତରପ୍ରଦେଶର ଗୋରଖପୁରର ପିପରାଇଚରେ ଏଭଳି ଏକ ଘଟଣା ଘଟିଯାଇଛି | ବିବାହ ଶୋଭାଯାତ୍ରା ପରେ ବରଯାତ୍ରୀମାନେ ଭୋଜି ଖାଇଥିଲେ, ଏହାପରେ ବରଯାତ୍ରୀଙ୍କୁ ଖାଇବାକୁ ରସମଲାଇ ଦିଆଯାଇଥିଲା | ତେବେ ରସମଲାଇ ଖାଇବା ପରେ ୧୦୦ରୁ ଅଧିକ ବରଯାତ୍ରୀ ଅସୁସ୍ଥ ହୋଇପଡିଥିଲେ | ଏହାପରେ ବରଯାତ୍ରୀଙ୍କୁ ତୁରନ୍ତ ଡାକ୍ତରଖାନାକୁ ପଠାଯାଇଥିଲା |

ପୁଲିସ ଏବାବଦରେ ଜାଣିବା ପରେ ବିବାହ ହଲକୁ ସିଲ୍ କରିଥିଲା। ବାହାଘର ହୋଇନଥିବାରୁ ଉଭୟ ବର-କନ୍ୟା ମଣ୍ଡପରେ ବସି ରହିଥିଲେ | ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ବଢ଼ୁଥିବାର ଦେଖି ତୁରନ୍ତ ବାହାଘର କରିବାକୁ ନିଷ୍ପତ୍ତି ନିଆଯାଇଥିଲା | ପୁଲିସ ଉପସ୍ଥିତିରେ ରାତି ପ୍ରାୟ ସାଢେ ୧୨ଟାରେ ପୁଲିସ ତରବରିଆ ଭାବେ ବିବାହ ସମାପ୍ତ କରାଇଥିଲା। ତେବେ ଏହି ବିବାହ ଏତେ ଶୀଘ୍ର କରାଯାଇଥିଲା ଯେ ପୁରା ବିବାହ ୨୫ମିନିଟରେ ସମାପ୍ତ ହୋଇଥିଲା | ବାହାଘର କରିବାକୁ ଆସିଥିବା ପୁରୋହିତଙ୍କୁ କୁହାଯାଇଥିଲା ଯେ ଯେମିତି ବି ହେଉ ଶୀଘ୍ର ବାହାଘର ସାରିଦିଅ | ଆଉ ପୁଲିସର ନାଲି ଆଖି ଦେଖି ପୁରୋହିତ ବି ପବନ ବେଗରେ ମନ୍ତ୍ର ପଢିଥିଲେ | ବାହାଘର ସମ୍ପୂର୍ଣ୍ଣ ହେବା ପାଇଁ ୪ ଘଣ୍ଟା ସମୟ ନିର୍ଘଣ୍ଟ ହୋଇଥିବାବେଳେ ୨୫ ମିନିଟରେ ବାହାଘର ସରିଥିଲା |

ସମ୍ବନ୍ଧିତ ଖବର