ପ୍ରେମିକାଙ୍କୁ ନେଇ ବୁଲୁଥିବାବେଳେ ଧକ୍କା ଦେଲା କାର, ମେଡିକାଲ ବେଡ଼ରେ ବରଣମାଳା ପିନ୍ଧାଇଲେ ପ୍ରେମିକ

ଜାଣନ୍ତୁ ଆଉ ଜଣେ ଶାହିଦ କପୁରଙ୍କ ନିଆରା କାହାଣୀ

ପାଟନା: ଆପଣ ଫିଲ୍ମ ‘ବିବାହ’ ଦେଖିଥିବେ | ଏଥିରେ ଅଭିନେତା ଶାହିଦ କପୁର କିଭଳି ମେଡିକାଲ ବେଡ଼ରେ ଅଭିନେତ୍ରୀ ତଥା ଭାବି ପତ୍ନୀଙ୍କ ମଥାରେ ସିନ୍ଦୂର ଭରୁଛନ୍ତି ତାହା ନିଶ୍ଚୟ ଦେଖିଥିବେ | ବିହାରର ଅରୱାଲରେ ଏଭଳି ଏକ ନିଆରା ବିବାହ ଦେଖିବାକୁ ମିଳିଛି। ଏଠାରେ ପ୍ରେମୀ ଯୁଗଳ ଡାକ୍ତରଖାନା ବେଡ଼ରେ ବିବାହ କରିଥିଲେ। ପ୍ରଥମେ ଦୁହେଁ ପରସ୍ପରକୁ ବରଣମାଳା ପିନ୍ଧାଇଥିଲେ ଓ ପରେ ପ୍ରେମିକ ଜଣକ ପ୍ରେମିକାଙ୍କ ମଥାରେ ସିନ୍ଦୂର ଭରି ତାଙ୍କୁ ପତ୍ନୀ ଭାବେ ସ୍ୱୀକାର କରିଥିଲେ | ଏହି ଅନନ୍ୟ ବିବାହରେ ହସ୍ପିଟାଲର କର୍ମଚାରୀ ଏବଂ ରୋଗୀମାନେ ମଧ୍ୟ ଉପସ୍ଥିତ ଥିଲେ । ଡାକ୍ତରଖାନାରେ ଉପସ୍ଥିତ ଲୋକମାନେ ମଧ୍ୟ ଉଭୟଙ୍କୁ ଆଶୀର୍ବାଦ ଦେଇଥିଲେ। ମିଳିଥିବା ସୂଚନା ମୁତାବକ ସହରର ଠାକୁର ବିଗା ଗାଁର ବାସିନ୍ଦା ନୀରଜ କୁମାର ତାଙ୍କ ପ୍ରେମିକା କୌଶଲ୍ୟାଙ୍କୁ ବାଇକରେ ବୁଲାଇବାକୁ ନେଇଥିଲେ। ତେବେ ଉଭୟଙ୍କୁ ଏକ କାର ଧକ୍କା ଦେବା ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ।

ଏହା ପରେ ଉଭୟଙ୍କୁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଉଭୟ ପ୍ରେମୀ ଯୁଗଳଙ୍କୁ ଡାକ୍ତରଖାନାରେ ଡାକ୍ତରମାନେ ଚିକିତ୍ସା କରୁଥିଲେ। ଏହି ସମୟରେ କୌଶଲ୍ୟାଙ୍କର ପରିବାର ସଦସ୍ୟ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ। ଯୁବକ ଓ ଯୁବତୀ ପରସ୍ପରକୁ ଭଲ ପାଉଥିଲେ ଏବଂ ପରିବାର ସଦସ୍ୟଙ୍କୁ ନ ଜଣାଇ ଗୁପ୍ତରେ ସାକ୍ଷାତ କରୁଥିଲେ | ଏହି ଘଟଣା ପରେ ଉଭୟଙ୍କ ପରିବାର ସଦସ୍ୟ ଉଭୟଙ୍କ ମଧ୍ୟରେ ଥିବା ଭଲପାଇବା ବାବଦରେ ଜାଣିଥିଲେ। ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଉଭୟ ପ୍ରେମୀ ଯୁଗଳ ବିବାହ କରିଥିଲେ। ଦୁହେଁ ରାତି ୧୨ଟାରେ ବିନା ବାଜା-ରୋଷଣୀରେ ବିବାହ କରିଥିଲେ | ନା କେହି ପୁରୋହିତ ଥିଲେ ନା ବିବାହ ଲଗ୍ନ ଥିଲା | ଉଭୟଙ୍କ ପରିବାର ସଦସ୍ୟ ଓ ମେଡିକାଲ କର୍ମଚାରୀଙ୍କ ଉପସ୍ଥିତିରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଥିଲା | ମେଡିକାଲ ବେଡ଼ରେ ଉଭୟ ବିବାହ କରିବା ଏକ ଚର୍ଚ୍ଚାର ବିଷୟ ପାଲଟିଛି |

ସମ୍ବନ୍ଧିତ ଖବର