ବିବାହ ଦିନ ଶିକ୍ଷକ ଦମ୍ପତି ସ୍କୁଲରୁ ବିଦା

ଦାମ୍ପତ୍ୟ ପ୍ରେମ ସ୍କୁଲରେ ପ୍ରତିକୂଳ ପ୍ରଭାବ ପକାଇବ କହିଲେ କର୍ତ୍ତୃପକ୍ଷ

ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲା ଅନ୍ତର୍ଗତ ଟ୍ରାଲ୍‌ ସହର ସ୍ଥିତ ଏକ ବେସରକାରୀ ସ୍କୁଲ୍‌ରେ ଶିକ୍ଷକ ଦମ୍ପତିଙ୍କୁ ହିନସ୍ତା ହେବାକୁ ପଡ଼ିଛି। ସେମାନଙ୍କ ବିବାହ ଦିନ ହିଁ କର୍ତ୍ତୃପକ୍ଷ ସେମାନଙ୍କୁ ବିଦା କରିଦେଇଛନ୍ତି। ବିବାହ ପରେ ଶିକ୍ଷାନୁଷ୍ଠାନ ପରିସରରେ ସେମାନଙ୍କ ଦାମ୍ପତ୍ୟ ପ୍ରେମ କୁଆଡ଼େ ଛାତ୍ରଛାତ୍ରୀଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବ ବୋଲି କର୍ତ୍ତୃପକ୍ଷ ଆଶଙ୍କା ପ୍ରକଟ କରି ଏପରି ସେମାନଙ୍କୁ ଚାକିରିରୁ ଛଟେଇ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାନୁଯାୟୀ, ଟ୍ରାଲ୍‌ ସହରରେ ବାସ କରୁଥିବା ତାରିକ ଭଟ ଏବଂ ସୁମାୟା ବସିର୍‌ ସ୍ଥାନୀୟ ପାମ୍ପୋର୍‌ ମୁସଲିମ୍‌ ଏଜୁକେସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ଦୀର୍ଘ ୧୧ ବର୍ଷ ଧରି ଶିକ୍ଷକତା କରି ଆସୁଥିଲେ। ତାରିକ୍‌ ବିଦ୍ୟାଳୟର ଛାତ୍ର ବିଭାଗରେ ଶିକ୍ଷାଦାନ କରୁଥିବା ବେଳେ ସୁମାୟା ଛାତ୍ରୀମାନଙ୍କ ଦାୟିତ୍ୱରେ ଥିଲେ। ତେବେ ଗତ ୩୦ ତାରିଖରେ ପାରମ୍ପରିକ ରୀତିରେ ସେମାନେ ପରସ୍ପରକୁ ବିବାହ କରିଥିଲେ। ଅପରପକ୍ଷେ, ସେମାନଙ୍କ ବୈବାହିକ ଜୀବନର ଖୁସିକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଦୁଃଖରେ ପରିଣତ କରିଦେଇଛନ୍ତି। ସେହି ଦିନ ହିଁ ଉକ୍ତ ଶିକ୍ଷକ ଦମ୍ପତିଙ୍କୁ ବରଖାସ୍ତ କରାଯାଇଛି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ଉଭୟ ବିରୋଧ କରିଥିବା ବେଳେ କର୍ତ୍ତୃପକ୍ଷ କିନ୍ତୁ ଭିନ୍ନ ପ୍ରକାରେ ସଫେଇ ଦେଇଛନ୍ତି। ବିବାହ ପୂର୍ବରୁ ଉଭୟଙ୍କର ପ୍ରେମ ସମ୍ପର୍କ ଥିଲା ଏବଂ ତାହା ଶିକ୍ଷାନୁଷ୍ଠାନ ପରିସରରେ ଅପ୍ରୀତିକର ସ୍ଥିତି ଉପୁଜାଉଥିଲା। ସୁତରାଂ ବିବାହ ପରେ ସେମାନଙ୍କ ନିବିଡ଼ତା ବଢ଼ିବା ସହ ତାହା ଛାତ୍ରଛାତ୍ରୀମାନଙ୍କ ଉପରେ ଆହୁରି କୁପ୍ରଭାବ ପକାଇବ ବୋଲି ଆଶଙ୍କା କରି ଏପରି ପଦକ୍ଷେପ ନିଆଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର