‘ଯୌନସୁଖକୁ ଆଇନ ସମ୍ମତ କରିବା ପାଇଁ ବିବାହ ଏକ ଚୁକ୍ତି ନୁହେଁ’: ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ‘ଯୌନସୁଖକୁ ଆଇନ ସମ୍ମତ କରିବା ପାଇଁ ବିବାହ ଏକ ଚୁକ୍ତି ନୁହେଁ’ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଦିଲ୍ଲୀର ଏକ କୋର୍ଟ। ଏକ ବିବାହ ବିଚ୍ଛେଦ ପାଇଁ ଆଗତ ଏକ ମାମଲାର ବିଚାର କରିବା ଅବସରରେ ଏପରି ମତବ୍ୟକ୍ତ କରିଛନ୍ତି ଦିଲ୍ଲୀର ଏକ ପାରିବାରିକ କୋର୍ଟ। ପତ୍ନୀଙ୍କ ଇଚ୍ଛା ବିରୁଦ୍ଧରେ ବା ବିନା ସ୍ୱୀକୃତିରେ ତାଙ୍କ ସହ ଯୌନ ସଂପର୍କ ସ୍ଥାପନକୁ ଦୁଷ୍କର୍ମ ରୂପେ ବିବେଚନା କରି ଏହାକୁ ଏକ ଅପରାଧିକ ମାମଲା ରୂପେ ଗ୍ରହଣ କରିବା ପାଇଁ ନ୍ୟାୟାଳୟର ବିଚାରପତିମାନେ ଚିନ୍ତା କରୁଥିବା ବେଳେ ଏକ ପାରିବାରିକ କୋର୍ଟର ବିଚାରପତି ଶନିବାର ଦିନ ଦେଇଛନ୍ତି ଏହି ଗୁରୁତ୍ୱପୂର୍ଣ୍ଣ ରାୟ।


ହସ୍ତଗତ, ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଜନୈକ ପତି ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ଦିଲ୍ଲୀର ଏକ ପାରିବାରିକ କୋର୍ଟରେ ଆବେଦନ କରିଥିଲେ। ପତି ଜଣକ ଛାଡ଼ପତ୍ର ପାଇଁ କରିଥିବା ଆବେଦନରେ ନିଜ ପତ୍ନୀଙ୍କ ବିରୋଧରେ ଅଭିଯୋଗ ଆଗତ କରି ଦର୍ଶାଇଥିଲେ ଯେ ତାଙ୍କ ପତ୍ନୀ କୁଆଡ଼େ ତାଙ୍କୁ ଗାଳିଗୁଲଜ କରିବା ସହ, ଅସମ୍ମାନଜନକ ଆଚରଣ ପ୍ରଦର୍ଶନ କରୁଛନ୍ତି ଓ ପାରିବାରିକ କଳହ ସୃଷ୍ଟି କରୁଛନ୍ତି। ଯାହା ତାଙ୍କୁ ମାନସିକ ସ୍ତରରେ ଆଘାତ ଦେଉଛି। ବିବାହାର ୧୬ ବର୍ଷ ପରେ ପତି ଜଣକ ପତ୍ନୀଙ୍କ ଠାରୁ ଛାଡ଼ପତ୍ର ନେବାକୁ ଏହି ଆବେଦନ କରିଥିଲେ।

ତେବେ, ମାମଲାର ବିଚାର କାଳରେ ପତ୍ନୀ ଜଣକ ପତିଙ୍କ ବିରୋଧରେ ଯେଉଁ ଅଭିଯୋଗ ଆଗତ କରିଥିଲେ, ତାକୁ ଶୁଣି ପାରିବାରିକ କୋର୍ଟର ବିଚାରପତି ତଟସ୍ଥ ହୋଇ ପଡ଼ିଥିଲେ। ପତ୍ନୀ ଜଣକ କହିଥିଲେ ଯେ ତାଙ୍କ ପତି ହେଉଛନ୍ତି ଜଣେ ଯୌନ ବିକାରଗ୍ରସ୍ତ ବ୍ୟକ୍ତି। ସେ ଅପ୍ରାକୃତିକ ଯୌନ ସଂପର୍କ ସ୍ଥାପନ ପାଇଁ ପତ୍ନୀଙ୍କୁ ବାଧ୍ୟ କରନ୍ତି। ପତ୍ନୀ ବିରୋଧ କଲେ ସେ ତାଙ୍କୁ ଶରୀରିକ ଓ ମାନସିକ ଯନ୍ତ୍ରଣା ଦେଇଥାନ୍ତି। ପତି ଜଣକ ତାଙ୍କୁ ଜଣେ ଯୌନ ଦାସୀ ପରି ବ୍ୟବହାର କରିବା ସହ ତାଙ୍କ କଥାକୁ ଅମାନ୍ୟ କଲେ ସେ ଦେଉଥିଲେ ନିର୍ଘାତ ମାଡ଼। ଏ ସଂପର୍କରେ ପତ୍ନୀଜଣକ ଆମେରିକାରେ ରହୁଥିବା ତାଙ୍କ ଭାଇଙ୍କୁ ସବୁକଥା ଜଣାଇଥିଲେ।

ପତ୍ନୀଙ୍କ ଠାରୁ ସବୁକଥା ଶୁଣିବା ପରେ ପାରିବାରିକ କୋର୍ଟର ବିଚାରପତି ଧର୍ମେଶ ଶର୍ମା ପତିଙ୍କୁ ଆଚରଣ ସଂଯତ କରିବାକୁ ଚେତାବନୀ ଦେଇ ଆଗତ ବିବାହ ବିଚ୍ଛେଦ ମାମଲାକୁ ଖାରଜ କରିଦେଇଛନ୍ତି।

ସମ୍ବନ୍ଧିତ ଖବର